କାଲିର ବର୍ଷା

କାଲିର ବର୍ଷା

କାଲି ସତରେ ବର୍ଷା ଟା ଭାରି ଚୁଲବୁଲି ଥିଲା,

ଧିରେ ଧିରେ ମତେ ଫିଟଉଥିଲା 

ମୋର ଅନ୍ଧାରରୁ

ମୋ ମନର ଦୁଷ୍ଟାମି ସବୁ ବାଟ ପାଇଗଲେ

ସ୍ବାଧୀନ ହେବାକୁ 

ତୁମକୁ ମୋ ମନ କାହିଁ ଅଧିକ ଖୋଜୁଥିଲା,

ଚଗଲି ମନ ହାଲକା ଆନମନା ହେଉଥିଲା।

 

କାଲି ବର୍ଷା ଟା ଭାରି ଗେହ୍ଲେଇ ହଉଥିଲା,

ଛମ୍ ଛମ୍ କରି ଯେବେ ଘର ଅଗଣାକୁ ଭିଜଉଥିଲା,

ମୁଁ ଲାଜର ଓଢଣାକୁ ଖୋଲିଦେଲି ବୋଲି 

ବର୍ଷା ମୋ କେଶକୁ ଚୁମୁଥିଲା,

ଆକାଶ କଣ ରାଗିଲା? 

ଗମ୍ଭୀର ହୋଇ କଳା ପୋଷାକ ପିନ୍ଧିଥିଲା।

 

କାଲି ବର୍ଷାଟା ଭାରି ରୋମାଣ୍ଟିକ୍ ଥିଲା,

ତୁମ ଛୁଆଁକୁ ମନେପକାଇ 

ମତେ ରୋମାଞ୍ଚିତ କରିଚାଲିଥିଲା,

ମୋ କାନରେ ଓଦା ସ୍ବରରେ 

ତୁମ ଭାଷାରେ କଥା କହୁଥିଲା,

ଭିଜା ମାଟିର ବାସ୍ନା ରେ ଆମର କଥାସବୁ 

ବତୁରି, ତରଳି, ବୋହି ଚାଲିଥିଲା।

 

  କାଲି ବର୍ଷାଟା ଭାରି ଚୁଲବୁଲି ଥିଲା,

ତୁମ ମୋ ଆଙ୍ଗୁଠି ଲୁଚି ଲୁଚି ଛନ୍ଦି ହେବାଭଳି,

କାଲି ବର୍ଷାଟା ଭାରି ଗେହ୍ଲେଇ ଥିଲା,

ମୁଁ ତୁମ ଦେହରେ ବୋଳି ହେଲା ଭଳି,

କାଲି ବର୍ଷାଟା ଭାରି ଭାବପ୍ରବଣ ଥିଲା,

ତତଲା ମାଟିରେ ବର୍ଷାର ପ୍ରଥମ ଟୋପା ପରି । 

 

କାଲି କଣ ସତରେ ବର୍ଷା ହୋଇଥିଲା!!