ପଣ୍ଡିତ ବିରଜୁ ମହାରାଜ : କବିତାର ନୃତ୍ୟକାରୀ ବେଶ

ପଣ୍ଡିତ ବିରଜୁ ମହାରାଜ : କବିତାର ନୃତ୍ୟକାରୀ ବେଶ

କବିତାର ଯଦି ମଣିଷ ଶରୀର ଥାନ୍ତା, ତା ହେଲେ ସେ ଅବିକଳ ଦେଖିବାକୁ ବିରଜୁ ମହାରାଜଙ୍କ ପରି ହୋଇଥାନ୍ତା । କବିତାର ସବୁ ରସ, ସବୁ ଭାବ ଓ ସବୁ ଛନ୍ଦର ସମନ୍ଵୟ ଯେ ଗୋଟେ ଅଙ୍ଗରେ ଘଟିପାରେ ତାହା ବିରଜୁ ମହାରାଜଙ୍କୁ ଦେଖିନଥିବା ଲୋକ ବୁଝିପାରିବ ନାହିଁ । ଆମେ ସବୁବେଳେ କବିତା ଓ ବନିତାକୁ ଏକା ସାଙ୍ଗେ ଦେଖିଆସିଛୁ । ଅର୍ଥାତ କବିତା ନାରୀ ପରି । ହେଲେ ବିରଜୁ ମହାରାଜଙ୍କ ଅଙ୍ଗରେ କବିତା ଯେତିକି ନାରୀ , ସେତିକି ବି ପୁରୁଷ । କେବଳ ନାରୀ ବା ପୁରୁଷ ନୁହଁ , ସମଗ୍ର ଜୀବନ ଓ ଜଗତକୁ କବିତା ନିଜ ଭିତରେ ସମାହିତ କରି ରଖେ । ସେମିତି ପଣ୍ଡିତ ବିରଜୁ ମହାରାଜଙ୍କ ଅଙ୍ଗରେ ସାମଗ୍ରୀକ ଭାବରେ ଜୀବନ ଓ ଜଗତର ଛନ୍ଦ ଆନ୍ଦୋଳିତ ହେଉଥାଏ । ତାଙ୍କ ପାଦରେ ସମୁଦ୍ରର ଢେଉ ଲୋଟି ପଡୁଥିବାର ଅନୁଭବ ଅନାୟାସରେ ମିଳିଯାଏ । ତାଙ୍କ ଶରୀରର ଗତି ଓ ଦୋଳନରେ ଆପଣ ଦେଖିପାରିବେ ଝଡକୁ ଓ ମଳୟ ପବନକୁ । କେବେ କେମିତି ତାଙ୍କ ପାଦ ଆପଣଙ୍କୁ ଶୁଣେଇଦେବ ରେଳ ଧାରଣାରେ ଛୁକ ଛୁକ, ରେଳଗାଡି ଗଡୁଥିବାର ଧ୍ୱନି । ଅଦ୍ଭୁତ ତାଙ୍କର ପାତ୍ର ଓ ଚରିତ୍ରବହୁଭାବୀ ତାଙ୍କର ଭଙ୍ଗିମା । କେତେ ଚିତ୍ର ଓ ଚରିତ୍ରର ରୂପକାର ସେ । ଭାରତୀୟ ନୃତ୍ୟକଳାର ଶେଷତମ ଶିଖର ପୁରୁଷ ।           

ଭାରତର ଶାସ୍ତ୍ରୀୟ ନୃତ୍ୟର ଇତିହାସରେ ବହୁ ମହାନ ଗୁରୁ ଥିଲେ ଓ ଅଛନ୍ତି । ହଜାର ହଜାର ବର୍ଷର ନୃତ୍ୟ ପରମ୍ପରାରେ ସେମାନଙ୍କର ଅବଦାନ ରହିଆସିଛି । ତେବେ ନୃତ୍ୟଗୁରୁ ହେବା ସହିତ ନୃତ୍ୟକାରୀ ଭାବରେ ଲୋକରଞ୍ଜନ କରିବାର କଳା, ବହୁତ କମ ଗୁରୁଙ୍କର ରହିଛି । ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଆମେ ଦୁଇ ଜଣ ମହାନ ନୃତ୍ୟଗୁରୁଙ୍କୁ ଦେଖିଛୁ, ଯିଏ ଗୁରୁ ଭାବରେ ଯେତିକି ସଫଳ, ଶିଳ୍ପୀ ଭାବରେ ମଞ୍ଚରେ ତା ଠୁ ଅଧିକ ପ୍ରଭାବଶାଳୀ । ସେ ଦୁଇଟି ନାଁ ହେଉଛି ଓଡିଶୀ ନୃତ୍ୟର କିମ୍ବଦନ୍ତୀ ନାୟକ ସ୍ଵର୍ଗତ ଗୁରୁ କେଳୁଚରଣ ମହାପାତ୍ର ଓ କଥକ ନୃତ୍ୟର ଅନନ୍ୟ ପୁରୁଷ ପଣ୍ଡିତ ବିରଜୁ ମହାରାଜ । ଏ ଦୁହେଁ ଏକାଧାରରେ ଗୁରୁ ଓ ଶିଳ୍ପୀ । ଗୁରୁ ତ ନୁହନ୍ତି, ମହାଗୁରୁ । ଭାରତର ସର୍ବଶ୍ରେଷ୍ଠ ନୃତ୍ୟଶିଳ୍ପୀମାନଙ୍କୁ ସେମାନେ ନିଜ ହାତରେ ଗଢିଛନ୍ତି । ଶିଳ୍ପୀ ଗଢିବା ଓ ଶିଳ୍ପୀ ହେବା, ଏକା ସାଙ୍ଗରେ ସହଜରେ ହୁଏନା । ଏ ଦୁଇ ମହାନ ଶିଳ୍ପୀ କିନ୍ତୁ ସେ ଅସାଧ୍ୟ ସାଧନ କରିଥିଲେ । ମଞ୍ଚରେ ଯିଏ ଏମାନଙ୍କୁ ନାଚିବାର ଦେଖିଛି, ସେ ଜୀବନର ପରମ ଆନନ୍ଦକୁ ଭୋଗିଛି ।

ବିରଜୁ ମହାରାଜା ନାଚନ୍ତି ନାଇଁ, ସେ ନଈ ପରି ବୋହିଯାନ୍ତି । ତାଙ୍କୁ କୁହାଯାଏ, ଉତ୍ତର ଭାରତୀୟ ଗଙ୍ଗା-ଯମୁନାର ମହାସଙ୍ଗମ । ଭାରତୀୟ ସଂସ୍କୃତିର ବହୁ ଧାରା ଓ ବହୁ ଭାବର ସମାଗମ ଥିଲା ତାଙ୍କର ନୃତ୍ୟ । ସହଜ ଓ ସ୍ଵାଭାବିକ ଭାବରେ ଜୀବନର ସବୁଠୁ ସୂକ୍ଷ୍ମ ଅନୁଭବର ବଖାଣ କେମିତି କରାଯାଇପାରେ, ତାହା ତାଙ୍କୁ ଦେଖିଥିବା ଲୋକ ଜାଣେ ।

 

କଥକ ଘରାନାର ଉତ୍ତର ପୁରୁଷ

 

ବିରଜୁ ମହାରାଜ ଲକ୍ଷ୍ନୌ ଘରାନାର ସପ୍ତମ ପିଢୀର ନୃତ୍ୟଶିଳ୍ପୀ । ତାଙ୍କ ପୂର୍ବରୁ ସାତ ପୁରୁଷ ଧରି ମହାରାଜା ଓ ନବାବମାନଙ୍କ ଦରବାରରେ କଥକ ପରିବେଷଣ କରି ଆସୁଥିଲେ । ଅଛନ  ମହାରାଜ, ତାଙ୍କର ବାପା, ଶମ୍ଭୁ ମହାରାଜ ଓ ଲଛୁ ମହାରାଜ ତାଙ୍କର କାକା । ଏ ତିନିଜଣ ଲକ୍ଷ୍ନୌ ଘରାନାର ଶିଖର ଶିଳ୍ପୀ । ତେଣୁ ନୃତ୍ୟ ଓ ସଙ୍ଗୀତର ପ୍ରବାହ ତାଙ୍କ ରକ୍ତରେ ଥିଲା । ଜନ୍ମରୁ ତାଙ୍କର ନାମ ବୃଜମୋହନ ନାଥ ମିଶ୍ର । ସଂକ୍ଷେପରେ “ବିରଜୁ”। ତାଙ୍କର ଜନ୍ମ ୪, ଫେବୃଆରୀ, ୧୯୩୭ ଓ ମୃତ୍ୟୁ ୧୭, ଜାନୁଆରୀ, ୨୦୨୨ । ୮୬ ବର୍ଷର ପରିପକ୍ଵ ଜୀବନ । ତାଙ୍କ ପୂର୍ବରୁ ନିଜ ପରିବାର ଭିତରେ ସାତ ପୁରୁଷର ପରମ୍ପରା ବିଦ୍ୟମାନ । ମହାରାଜଙ୍କ ପୁଅ,ଝିଅ ଓ ନାତୁଣୀକୁ ମିଶେଇ ତାଙ୍କ ପରେ ଆଉ ତିନି ପ୍ରଜନ୍ମର ଧାରାବାହିକତା ।

ସେ ଜନ୍ମ ହେବା ପରଠୁ  ତବଲାର ଥାପ ଓ ତାନପୁରାର ତରଙ୍ଗ ଶୁଣିଛନ୍ତି । ତାଙ୍କ କାନରେ ଠୁମରି ଓ ଦାଦ୍ରାର ଲାଳିତ୍ୟ ଘୋଳି ହେଇକି ରହିଛି । ତାଳ ଓ ଲୟ ତାଙ୍କ ଭିତରେ ସ୍ଵାଭାବିକ ଭାବରେ ମିଶିକି ରହିଛନ୍ତି । ତେଣୁ ୭ ବର୍ଷ ବୟସରେ ସେ ଯେତେବେଳେ ଗାଇବା ଓ ନାଚିବା ଆରମ୍ଭ କରୁଛନ୍ତି , ସେତେବେଳେ ତାଙ୍କୁ ସଙ୍ଗୀତ ଉତ୍ତରାଧିକାର ଭାବେ ଇ ମିଳୁଛି । ଥରେ ସେ ଯାହା ଶୁଣୁଥିଲେ, ସେଟା ତାଙ୍କର ମାନେ ରହି ଯାଉଥିଲା । ଲକ୍ଷ୍ନୌ ଘରାନାର “କଥକ”ରେ ସବୁଠୁ ବଡ ଶକ୍ତି ଥିଲା – ଗାୟନ, ବାୟନ ଓ ନର୍ତ୍ତନର ସମନ୍ଵୟ । 

ମହାରାଜଙ୍କ ନୃତ୍ୟ ପରିବେଷଣ ଶୈଳୀରେ ଏଇ ସ୍ଵାଭାବିକତା ସବୁଠୁ ଅନନ୍ୟ । ସେ ଏକମାତ୍ର ନୃତ୍ୟଶିଳ୍ପୀ ଯିଏ ଘଣ୍ଟା ଘଣ୍ଟା ଧରି ନାଚିଲା ପରେ ବି ତାଙ୍କ ମୁହଁ ବା ଦେହରେ କ୍ଳାନ୍ତିର ଆଭାସ ନଥାଏ । ମରିବା ଯାଏଁ ତାଙ୍କ ପାଦ କେବେ ବି ଶିଥିଳ ହୋଇନଥିଲା । ନାଚ ଯେତେବେଳେ ଜୀବନର ଅଂଶ ପାଲଟିଯାଏ, ସେଠି ତାହା ଆଉ ଶାରୀରିକ ଅଭ୍ଯାସ ହୋଇ ରହେନାହିଁ । ନୃତ୍ୟ ସେଠି ପରମାର୍ଥ ଓ ପରମ ପିପାସା ପାଲଟି ଯାଏ । ଶାସ୍ତ୍ରର ତତ୍ତ୍ଵ ହେଉ ବା ପୁରାଣ କଥା, ନାୟକ-ନାୟିକାର ବିଭିନ୍ନ ଅବସ୍ଥା ହେଉ ବା ଆଧୁନିକ ଯେ କୌଣସି ଭାବ, ତାକୁ ଅତି ସହଜ ଭାବରେ ସେ ଉପସ୍ଥାପନ କରିପାରନ୍ତି । ତାଙ୍କୁ ଦେଖିଲେ, ଜଣେ ସାଧାରଣ ଦର୍ଶକ ଭାବିବ, କଥକ ନାଚିବା ସେତେ ବେଶୀ କଠିନ କାମ ନୁହେଁ । ହେଲେ ମହାରାଜଙ୍କ ସରଳତା ହେଉଛି ଆମ ସମୟର କଟକରେ ସବୁଠୁ ଜଟିଳ ଓ କଠୋରତମ ସାଧନା । 

ନୃତ୍ୟଶିକ୍ଷାରେ ନୂଆ ଧାରା

ମହାରାଜ ଯେମିତି ଶିଖିଥିଲେ, ସେ ତାଙ୍କ ପରବର୍ତ୍ତୀ ପିଢୀକୁ ତା ଠୁ ଆହୁରି ସରଳ ଧାରାରେ ନୃତ୍ୟ ଶିଖେଇଛନ୍ତି । ତାଙ୍କ ଲାଗି ତାଳ ସହିତ ପଦ ଚାଳନା ହେଉଛି ଏକ ଆନନ୍ଦମୟ ଖେଳ । ତାଳର ଜଟିଳ ବ୍ୟାକରଣକୁ ସେ ଏତେ ସହଜ ଭାବରେ ବୁଝେଇ ଦିଅନ୍ତି, ଯେମିତି ତାହା ଆପଣଙ୍କ ସାଧାରଣ ଜୀବନର ଏକ ଅଂଶ । ଏକଦା ନିଜ କୁନି କୁନି ଛାତ୍ର ଓ ଛାତ୍ରୀଙ୍କୁ “ତିନ ତାଲ” ଶିଖେଇବା ବେଳେ ସେ କହିଥିଲେ – ସକାଳ ଜଳଖିଆରେ କଣ ଖାଇଛ କହିଲ । ପିଲା ଉତ୍ତର ଦେଲେ – ହାଲ୍ୱା, ପୁରୀ ଆଉ ଜଲେବି । ମହାରାଜଙ୍କ ଏକ, ଦୁଇ, ତିନ...ଏକ, ଦୁଇ, ତିନ...ମାତ୍ରାରେ ଆରମ୍ଭ ହେଲା ହାଲ୍ୱା, ପୁରୀ ଆଉ ଜଲେବି । ଖାଇବାକୁ ନେଇ, ଖେଳିବାକୁ ନେଇ, ସମୁଦ୍ର ଓ ପବନର ଛନ୍ଦକୁ ନେଇ, ବିଭିନ୍ନ ପଶୁପକ୍ଷୀଙ୍କ ଗତିକୁ ନେଇ ସେ ନିଜର ନୃତ୍ୟ ସଂରଚନା  ଓ ଶିକ୍ଷାଦାନ କରନ୍ତି । ତେଣୁ ତାଙ୍କ ନାଚ ଲାଗେ ନିତାନ୍ତ ସହଜ ଓ ସ୍ଵାଭାବିକ । କଥକର ଶାସ୍ତ୍ରୀୟ ମୁଦ୍ରା, ଭଙ୍ଗୀ, ଚାଲି ଓ ଚାହାଣୀକୁ ସେ ଏତେ ସହଜ କରିଦିଅନ୍ତି ଯେ, ତାଙ୍କ ନୃତ୍ୟ ଆପେ ଆପେ କୁହୁକ ପାଲଟିଯାଏ ଓ ସେ କୁହୁକରେ ଯେ କୌଣସି ଦର୍ଶକ ବାନ୍ଧି ହେବାକୁ ବାଧ୍ୟ ।

ମହାରାଜଙ୍କ ଶହ ଶହ କଥକ ସଂରଚନା ରହିଛି । ତାଙ୍କ ଠୁମରି ଓ ଭଜନ ସବୁବେଳେ ଏକ ଅନନ୍ୟ ରସବୋଧ ନିର୍ମାଣ କରିଥାଏ । ତେବେ ଶୁଦ୍ଧ ନୃତ୍ୟରେ ତାଙ୍କର ଠାଣି ନିଆରା । ବିଜୁଳି ପରି କ୍ଷୀପ୍ର ପଦପାତରେ ତାଙ୍କର “ପଢନ୍ତ” ଓ “ତତ୍କାର”ର ଆନନ୍ଦ ଅନିର୍ବାଚନୀୟ । “ଆବର୍ତ୍ତନ” ଓ “ଲୟକାରୀ”ରେ ତାଙ୍କ ପାଖରେ ଠିଆ ହେବା ଭଳି ନର୍ତ୍ତକ ପ୍ରାୟ ବିରଳ । ଅନେକ ସମୟରେ “ଚକ୍କର” ବା “ଭ୍ରମରୀ” କୁ କଥକ ନୃତ୍ୟର ବିସ୍ମୟ ଭାବେ ଉପସ୍ଥା[ଅଣ କରାଯାଇଥାଏ । ମହାରାଜଙ୍କ “ଚକ୍କର” କେବଳ ତାଳ ବା ଗତି ପ୍ରଧାନ ନୁହେଁ, ତାହା ଭାବ ପ୍ରଧାନ । ତାଙ୍କର ସବୁ ନୃତ୍ୟରେ ଏଇ ଭାବ ଟିକକ ହିଁ ମୂଳ ।

ହିନ୍ଦୀ ସିନେମାରେ ସେଇ କିଛି ଗୀତ

ହିନ୍ଦୀ ସିନେମାରେ ବିରଜୁ ମହରାଜଙ୍କ ନୃତ୍ୟର କେତୋଟି ଝଲକ ଆପଣ ଯଦି ଦେଖିବେ ସେଥିରୁ ତାଙ୍କ ନୃତ୍ୟ ରଚନାର ସିଦ୍ଧାନ୍ତ ଓ ଦର୍ଶନକୁ ବୁଝିବା ସହଜ ହେବ୧୯୭୭ରେ ଭାରତୀୟ ସିନେମାର କିମ୍ବଦନ୍ତୀ ପୁରୁଷ ସତ୍ୟଜିତ ରାୟଙ୍କ “ସତରଞ୍ଜ କି ଖିଲାଡ଼ି” ସିନେମାରେ ମହାରାଜ ପ୍ରଥମ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ଥିବା ଅୱଧର ନୱାବ ୱଜିଦ ଅଲି ଅଲି ଶାହଙ୍କ ଦରବାରରେ ଦୁଇଟି ନୃତ୍ୟର ସଂରଚନା ସେ କରିଥିଲେ । ଏହି ନୃତ୍ୟ ଦୁଇଟିର ଗୀତ, ତାଳ ଓ ଭାବର ନିର୍ମାଣରେ ସତ୍ଯଜିତ ରାୟଙ୍କ ସିନେମାଟିକ ଦୃଷ୍ଟି ଓ ବିରଜୁ ମହାରାଜଙ୍କ ଶାସ୍ତ୍ରୀୟ ଦର୍ଶନର ଅପୂର୍ବ ସଂଯୋଗ ଘଟିଥିଲା । ନୱାବ ୱଜିଦ ଅଲି ଉନବିଂଶ ଶତାବ୍ଦୀର ସେଇ ଶେଷ ନୱାବ ଯିଏ ଶହ ଶହ ଠୁମରୀ ଓ ଭଜନ ଲେଖିଛନ୍ତି । “ନୱାବୀ ଆଦବ” ସହିତ ସୁଫିୟାନା ଅନ୍ଦାଜ ଓ ସେଥିରେ ବୈଷ୍ଣବୀୟ ସମର୍ପଣର ଏକ ବିଶେଷ ରସାୟନ ପ୍ରସ୍ତୁତ କରିଛି ମହାରାଜଙ୍କ କଥକ । ଏଥିରେ ମହାରାଜଙ୍କ ଗାୟନଭଙ୍ଗୀ ଓ ଅଭିନୟର କୁହୁକ ମଧ୍ୟ ଆମେ ଦେଖିଛୁ ।   

ହିନ୍ଦୀ ସିନେମାରେ ମହାରାଜ ଖୁବ ବେଶୀ ନୃତ୍ୟ ରଚନା କରିନାହାନ୍ତି ପ୍ରାୟ ଛଅଟି ସିନେମାରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ହେଲେ ଏଇ ଛଅଟି ଯାକ ସିନେମା ଆଧୁନିକ ସମୟର ସବୁଠୁ ବଡ କ୍ଲାସିକ ଭାବେ ଦର୍ଶକଙ୍କ ଛାତିରେ ଘର କରି ରହିଯାଇଛି । ସତ୍ଯଜିତ ରାୟଙ୍କ “ସତରଞ୍ଜ କି ଖିଲାଡ଼ି”ରେ “ କାହ୍ନା ମେ ତୋସେ ହାରି”, ସଞ୍ଜୟ ଲୀଳା ଭଂସାଲିଙ୍କ “ଦେବଦାସ” ରେ ମାଧୁରୀ ଦୀକ୍ଷିତଙ୍କ “କାହେ ଛେଡ ମୋହେ”, “ବାଜି ରାଓ ମସ୍ତାନୀ”ରେ ଦୀପିକା ପାଦୁକୋନଙ୍କ “ମୋହେ ରଙ୍ଗ ଦେ ଲାଲ”,  ଇତ୍ୟାଦିରେ ମହାରାଜଙ୍କ ଶୈଳୀର ଅପୂର୍ବ ବିନ୍ୟାସ ଆଜିର ଦର୍ଶକଙ୍କୁ ବି ମୋହିତ କରିଛି । ଏହା ସହିତ “ଡେଢ ଇସ୍କିୟା”, “ଦିଲ ତୋ ପାଗଲ ହୈ” ଏବଂ “ବିଶ୍ଵରୂପମ” ରେ ମଧ୍ୟ ମହାରାଜା ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ମାଧୁରୀ ଦୀକ୍ଷିତଙ୍କ ଅଙ୍ଗରେ ମହାରାଜଙ୍କ ନୃତ୍ୟର ଛଟା ଏକ ପରିପୂର୍ଣ୍ଣ ଜୀବନବୋଧ ନିର୍ମାଣରେ ସମର୍ଥ ।  

ସର୍ବଗୁଣ ସମ୍ପନ୍ନ ମହାରାଜ

ବିରଜୁ ମହାରାଜଙ୍କ ସବୁଠୁ ବଡ ପରିଚୟ ହେଉଛି – ସେ ସର୍ବଗୁଣ ସମ୍ପନ୍ନ । ସେ ନାଚି ତ ପାରନ୍ତି । ସମକାଳୀନ ଭାରତୀୟ ନୃତ୍ୟର ସେ ଶିଖର ପୁରୁଷ ଥିଲେ । ହେଲେ ନାଚିବା ସହିତ ଗାଇବା ତାଙ୍କର ଅନନ୍ୟ ସାଧନା ଥିଲା । “ଦେବଦାସ” ରେ ତାଙ୍କର ଆଳାପ ଶୁଣିଲେ ଲାଗିବ, ସେ ତ ସଙ୍ଗୀତରେ ବି ଅସାଧାରଣ । ତାଙ୍କର ତବଲା କିମ୍ବା ପଖଉଜ ବଜାଇବାର ଶୈଳୀ ମଧ୍ୟ ନିଆରା । ମହାରାଜ ନିଜେ ଗୀତ ଲେଖନ୍ତି ଓ ଗାଆନ୍ତି । ସେ ଚିତ୍ରକଳାରେ ମଧ୍ୟ ପ୍ରବୀଣ । ତାଙ୍କୁ ଆମେ ଶାସ୍ତ୍ରୀୟ ମଞ୍ଚରେ ଦେଖିଛୁ । ଦେଖିଛୁ ମଧ୍ୟ ବଲିଉଡର ତାରକା ଗ୍ୟାଲେରୀରେ । ସେ ସତ୍ଯଜିତ ରାୟଙ୍କର ଯେତିକି ପ୍ରିୟ ସଞ୍ଜୟ ଲୀଲା ଭଂସାଲିଙ୍କର ମଧ୍ୟ ସେତିକି ପ୍ରିୟ । ସବୁ କଳାକୁ ସେ ଆତ୍ମସ୍ଥ କରି ନିଜ ଭିତରେ ତାର ନବସୃଜନ କରୁଥିଲେ । ସେ ସବୁ ଭାବ ଓ ରସର ମହାରାଜା ।

ଆମ ସମୟର ସବୁଠୁ ସୁନ୍ଦର ଓ ବୈଭବ ମଣ୍ଡିତ ମଣିଷ ବୋଲି ଆମେ ତାଙ୍କୁ କହିପାରିବା ।

( ଏ ଫଟୋ ଦୁଇଟି ହଠାତ ମୁଁ ପାଇଲି ଭାରତୀୟ ନୃତ୍ୟ ଫଟୋଗ୍ରାଫିର ମହାନାୟକ ଅବିନାଶ ପଶରିଚାଙ୍କର ମୋ ପାଖକୁ ଆସିଥିବା ଏକ ପୁରୁଣା ଇ ମେଲ ରୁ । ଆମର ସୌଭାଗ୍ୟ ଯେ ଆମ ପାଖରେ ଡକ୍ଟର ପଶରିଚାଙ୍କର ଏ ଫଟୋ ଦୁଇଟି ରହିଛି । )