ଟେକନୋଲୋଜିର ଆଖି
ଆଜି ସମସ୍ତ ଖବରକାଗଜରେ କନ୍ଧମାଳ ଆଦିବାସୀ ଉନ୍ନୟନ ପରିଷଦର କର୍ମଚାରୀ ବୈକୁଣ୍ଠ ନାଥ ବେହେରା ଅଧିକ ସମ୍ପତ୍ତି ରଖି ଗିରଫ ହୋଇଥିବା ଖବର ପ୍ରକାଶ ପାଇଛି।
ତାହାଙ୍କର ୨୧୦୦୦ ହଜାର ଫୁଟ ବର୍ଗର ୫ ଟି ରାଜକୀୟ ପ୍ରାସାଦ ରହିଥିବା ରାଜ୍ୟ ଭିଜିଲାନ୍ସ ବିଭାଗ ବିଳମ୍ବରେ ହେଉ ପଛେ ଜାଣିପାରିଲା।
ଦେଶରେ ଆଧାର କାର୍ଡ ଲଞ୍ଚ ହେଲା ବେଳେ କୁହାଗଲା ଯେ ଏହା ଦୁର୍ନୀତିକୁ ସଂପୂର୍ଣ୍ଣ ବନ୍ଦ କରିଦେବ। ଏଥିଲାଗି ଗରିବ ଲୋକଙ୍କ ଆଧାର କାର୍ଡ ସହିତ ରେସନ କାର୍ଡକୁ ପ୍ରଥମେ ଯୋଡା ଗଲା।
ସରକାରଙ୍କୁ ଗରିବ ଲୋକଙ୍କ ରାସନ କାର୍ଡ ଦେଖାଗଲା କିନ୍ତୁ ଧନୀଙ୍କ ପ୍ରାସାଦ ଆଜି ବି ଦେଖାଯାଉନାହିଁ। ଗରିବ ଲୋକଙ୍କ ଆଧାର କାର୍ଡ ସହିତ ରେସନ କାର୍ଡକୁ ଯୋଡା ଗଲା , କିନ୍ତୁ, ସରକାରୀ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଆଧାର କାର୍ଡ ସହିତ ଜମି ରେଜିଷ୍ଟ୍ରେଶନ ବିଭାଗକୁ ଯୋଡ଼ାଯାଇପାରିଲା ନାହିଁ।
ଆପଣ କେବେ ସିସିଟିଭି କ୍ୟାମେରା ଧନତେରାସ ସମୟରେ ଆୟକର ବିଭାଗ ଲଗାଇଥିବା, କୌଣସି ଦୋକାନ ବାହାରେ ହେଉ ବା ରାସ୍ତାରେ,ଶୁଣିଛନ୍ତି କି? କିନ୍ତୁ ରାସ୍ତା, ଦୋକାନ, ମଲ, ଷ୍ଟେସନ ସବୁଠାରେ ସିସିଟିଭି। ସିସିଟିଭିର ସଂଖ୍ୟା ବଢିଛି।
ଆମ ଉପରେ ବହୁତ ଗୁଡିଏ କ୍ୟାମେରାର ଆଖି ବୁଲୁଛି। ଏଥିରେ ନାଗରିକର ସୁରକ୍ଷା ବଢିଛି?
ମୁଁ ବହୁ ବର୍ଷ ତଳେ ଯେତେବେଳେ ଲେଖଥିଲି ଯେ ବକ୍ସାଇଟ ଯେଉଁଠି ଅଛି ସେହିଠାରେ ରହିଥାଉ ତାହାକୁ ପ୍ରଥମେ ହସିଥିଲେ ମୋର ମାର୍କ୍ସବାଦି ବନ୍ଧୁମାନେ। ଏହା ସେମାନଙ୍କ ଯୁକ୍ତିରେ ଅର୍ଥନୈତିକ ସମ୍ପଦ। କିନ୍ତୁ ଏହା ପ୍ରକୃତିର ସମ୍ପଦ ଓ ତାହା ହିଁ ଆମର ସମ୍ପଦ, ଏହାକୁ ସେମାନେ ଅସ୍ଵୀକାର କରିଥିଲେ।
ଗଲା ପରିବେଶ ଦିବସରେ ଆନ୍ଦୋଳନ ମାନଙ୍କ କୋରାପୁଟ ସମନ୍ଵୟରେ ଘୋଷଣା କରାଗଲା ଯେ ବକ୍ସାଇଟ ପାହାଡରେ ରହିବା ହିଁ ଲୋକଙ୍କର ଉପଯୁକ୍ତ ବିକାଶ। ଏହା ବହୁତ ବଡ ବୟାନ। ପ୍ରକୃତି ଉପରେ ଭରସା କରିବା ଏହା ଠାରୁ ଆଉ ବଡ କିଛି ନାହିଁ।
ଆମର ବେଶ କିଛି ମାର୍କ୍ସବାଦୀ ଓ ଦଳିତ ସଂଗଠନର ବନ୍ଧୁ ଏବେ ବି ବୁଝୁନାହାନ୍ତି ଯେ ଟେକେନଲୋଜି ସାଧାରଣ ଲୋକଙ୍କ ବିକାଶ ପାଇଁ ନୁହେଁ। ସେଥିରୁ ଆମେ ଆମର ସାମର୍ଥ୍ୟ ଅନୁସାରେ ତାହାର ସୁବିଧା କିଛି ପାଉଛୁ। ଟେକେନୋଲୋଜି ଆଧାରିତ ବିକାଶ କଦାପି ବିକାଶ ନୁହେଁ। ଏହା ଆଜି ଆହୁରି ସ୍ପଷ୍ଟ। ଏହା ତ ଆଜି ବୃହତ କମ୍ପାନୀର କର୍ତ୍ତୁତ୍ଵରେ ରହିଛି। ତଥାପି ସେମାନେ ବୃହତ ପ୍ରକଳ୍ପ ଉପରେ ଏବେ ବି ଭରସା କରୁଛନ୍ତି।
ମଣିଷ ଯେବେ ପ୍ରକୃତି ଉପରେ ଭରସା ହରାଏ ସେତେବେଳେ ସେ କ୍ଷମତା ଓ ତେକେନୋଲୋଜି ଆଧାରିତ ଜୀବନ ବଞ୍ଚିବାକୁ ଚାହେଁ। ମୁଁ ମାନୁଛି ଯେ ଟେକନୋଲୋଜି ଆମର ଉପକାରରେ ଆସୁଛି। କିନ୍ତୁ ଏହା ଆମକୁ ସୁରକ୍ଷିତ ଭବିଷ୍ୟତ ଦେଉନାହିଁ। ଏହା ଆମକୁ ବରଂ ଅଧିକ ଅସୁରକ୍ଷିତ କରୁଛି।
ପ୍ରକୃତି ହିଁ ସନ୍ତୁଳନତା ତିଆରି କରିଛି, ଟେକେନୋଲୋଜି ଏହାକୁ ବିଗାଡିଛି।
ଆପଣ କେବେ କେଉଁ ଅଞ୍ଚଳରେ ଶୁଣିଛନ୍ତି ପୁଅଙ୍କ ସଂଖ୍ୟା ବହୁତ ଅଧିକ ଥିଲା ବା ଝିଅଙ୍କ ସଂଖ୍ୟା ବହୁତ ଅଧିକ ଥିଲା? ପ୍ରକୃତି କାହିଁ କେତେ ହଜାର ବର୍ଷ ହେଲା ପୁଅ ଝିଅଙ୍କ ମଧ୍ୟରେ ସନ୍ତୁଳନ ରଖିଆସିଥିଲା।
ଅଲଟ୍ରା ସାଉଣ୍ଡ ଆସିବା ପରେ ଝିଅଙ୍କ ଅନୁପାତ କ୍ରମଶଃ ହ୍ରାସ ହେଉଛି। ସମାଜର ଲିଙ୍ଗଗତ ପ୍ରଭେଦ ଓ ଜାତିଗତ ପ୍ରଭେଦ ପ୍ରକୃତି ସୃଷ୍ଟି କରିନାହିଁ। ଏହି ମଣିଷ କରିଛି। ଆଜି ଅନେକ ସ୍ଥାନରେ ପୁଅଙ୍କ ଅନୁପାତରେ ଝିଅଙ୍କ ହାର ବହୁତ କମ ଅଛି। ସମାଜର ସମ୍ପତ୍ତି ଥିବା ଲୋକଙ୍କ ପୁରୁଷଗତ ମାନସିକତା କାରଣରୁ ସେମାନଙ୍କ ହାତରେ ଅଲଟ୍ରା ସାଉଣ୍ଡ ଏକ ଅସ୍ତ୍ର ହୋଇଯାଇଛି।
ସତରେ କନ୍ଧମାଳ ଭଳି ଜିଲ୍ଲାର ପୁଣି ଆଦିବାସୀ ବିଭାଗରେ କାମ କରୁଥିବା ଜଣେ ସରକାରୀ କର୍ମଚାରୀ କେଉଁଭଳି ୮୦୦ ପ୍ରତିଶତ ଅଧିକ ସମ୍ପତ୍ତି ରଖିପାରିଲା? ଏତେ ଅମଣିଷ ସତରେ କେହି ହୋଇପାରେ?
ସରକାର ମାଇକ୍ରୋଷୋଫ୍ଟ କମ୍ପାନୀକୁ ଅନେକ କୋଟି ଟଙ୍କା ଦେଇ ଅଫିସର ଡିଜିଟାଇଜେସନ କରିଥିଲେ। କହିଥିଲେ ଏଥିରେ ଦୁର୍ନୀତି କମିଯିବ ଓ ଦକ୍ଷତା ବଢିବ।
ଆଜି ଦୁର୍ନୀତି କରୁଥିବା ସରକାରୀ କର୍ମଚାରୀ ଓ ଏହାଙ୍କୁ ଧରୁଥିବା କର୍ମଚାରୀ ଉଭୟ ସେହି ସମାନ ବ୍ୟବସ୍ଥାର ଅଂଶ। ସେମାନଙ୍କ ଲାଗି ଟେକେନୋଲୋଜିର ଆଖି ଅନ୍ଧ। କିନ୍ତୁ ଟେକେନୋଲୋଜିର ଆଖି ସାଧାରଣ ଲୋକ ଉପରେ ସର୍ବଦା ଘୂରୁଛି।
ଦେବରଞ୍ଜନ