ବୈରାଗୀ ଭ୍ରମର

ବୈରାଗୀ ଭ୍ରମର

ବୈରାଗୀ ଭ୍ରମର ବଂଚେ କିପରି ମରେ ବା କିପରି ?

ଗୁଣଗୁଣ୍ ଗୁଣଗୁଣ୍ ତା'ର ଥମିଯାଏ ?

 

ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !

 ଫୁଲସଂଗ ଛାଡ଼ିଦିଏ ?

 ବଂଚେ କିପରି ମରେ ବା କିପରି ?

କାହାଠିକି ସେ ଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

ଧଳା ଦିଶେ ନା ଗେରୁଆ ?

ବୈରାଗୀ ହୋଇଗଲେ ଭ୍ରମର ଋତୁ ବସଂତ ଆସେନା ?

ଫଗୁ-କୁହୁଡ଼ିରୁ ଅତର-ପିଚିକାରୀର ଫୁଆରାରୁ

ବଣ ବଗିଚାର ଫୁଲରୁ

ରଂଗ ଓ ମହକ ଉଡ଼ିଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

ନିଶ୍ଚିଂତ ହୋଇଯାଆଂତି ସଂଦେହୀ ସ୍ଵାମୀଏ ?

ବାପ ହିପାଜତରୁ ମଫସଲରୁ ଆସିଥିବା ଋଷ୍ୟଶୃଂଗ

 'ନଷ୍ଟ' ଆଉ ହୁଏନା ରେଭେନସାରେ, ବାଣୀବିହାରରେ ?

ବୈରାଗୀ ହୋଇଗଲେ ଭ୍ରମର

ଗାଂଗୁରାମ୍ ଦୋକାନ, ଅବକାରୀ ବିଭାଗ ଉଠିଯାଏ ?

 

ବୈରାଗୀ ଭ୍ରମର ଥୁ କରିଦିଏ ମହୁକୁ !

ଫୁଲ ସଂଗ ଛାଡ଼ି ଦିଏ ?

ବଂଚେ କିପରି ମରେ ବା କିପରି ?

 ଗୁଣଗୁଣ୍ ଗୁଣଗୁଣ୍ ତାର ଥମିଯାଏ ?

 

ବୈରାଗୀ ହୋଇଗଲେ ଭ୍ରମର

ବାଜ୍ୟାପ୍ତ ହୋଇଯାଆଂତି ଗାଲିବ୍ ଆଉ ମାନସିଂ ?

ସୁର୍ ଆଉ ମିଜାଜ୍, ତାନ ଆଉ ମସ୍ତି

ଜମି ଉଠିଥିବା ଆସରରୁ

ହଠାତ୍ ଏକ ଟାକରା ଫୁଟି ଉଭେଇଯାଏ  ?

 

ବୈରାଗୀ ହୋଇଗଲେ ଭ୍ରମର

ନୀରବତାରୁ ବର୍ଣମାଳାରୁ

କବିତାର କୁହୁକ ଟିକକ ସରିଯାଏ  ?

 

ରେ ପଳାତକ ଭ୍ରମର !

ଭୁବନ ଭୁବନ ତତେ ମୁଁ ଖୋଜିରହେ ।

 

ଆମେ ତ ଶୁଣିଛୁ ବିଶ୍ଵର ଏ ବିନ୍ୟାସରେ

ସୁଧାଭାଗ ସହିତ ବିଷଭାଗ ବି ଥାଏ

ତୁ ଥାଉ ବୋଲି ନୀଳକଂଠ ପରି ବଂଚିହୁଏ ରେ ଭ୍ରମର ।

ତୁ ଥାଉ ବୋଲି ଚିର-ଅମର କରିପାରେନା ଅମୃତ

ମିଠା ମିଠା ଭାବରେ ମରିହୁଏ ।

 

ତୁ ଥାଉ ବୋଲି ତ

ଅଳକା ସାନ୍ୟାଲର ବୟସ ଜମା ବଢ଼େନା,

ଚିତ୍ରରଥ, ରାଉତରାୟ, ଗୁରୁପ୍ରସାଦ ପରେ

କେହି ନା କେହି କବି

ପାଲରେ ତା'ର ପଡ଼ିଯାଏ !

 

ସୂର୍ଯ ଅସ୍ତ ଯିବାର ଦୁଃଖଠୁ ବଳି

ତତେ ଗୋଟାପଣେ ପାଇଯିବାର ହର୍ଷରେ ହିଁ

ପଦ୍ମ ତା'ର ପାଖୁଡ଼ା ବୁଜିଦିଏ,

ପ୍ରତି ସକାଳେ ସୂର୍ଯକୁ ଦେଖାଏ ତୋର ଶବ 

ପ୍ରତି ସକାଳୁ ତତେ ପ୍ରତୀକ୍ଷା କରି ରହେ ।

 

କବିତା ବିନା ବା କି ଜୀବନ ? 

ଭ୍ରମର ବିନା ବା କି ଜଗତ ? 

ରେ ବୈରାଗୀ ଭ୍ରମର !

ଫେରିଆ,

ସାଜେନା ବୈରାଗ୍ୟ ତତେ ସାଜେନା ।

 ଗୁଣଗୁଣ୍ ଗୁଣଗୁଣ୍ ତୋର ଥମେନା ।

 

ତୋ' ଭିତର ଭ୍ରମର... ଭ୍ରମର ଭିତର ଭ୍ରମର...

ତା' ଭିତର ଭ୍ରମର... ଭିତରତମ ଭ୍ରମର 

ଭୋଗରେ ଭ୍ରମରେ ଜୀଇଁ ଅନୁକ୍ଷଣ 

ଭୋଗରେ ଭ୍ରମରେ ମରି ଅନୁକ୍ଷଣ ―

ମାରୁଥାଏ,

ବଂଚାଇ ରଖିଥାଏ ।।