ପ୍ରତୀକ୍ଷା ଓ ପ୍ରାର୍ଥନା

ପ୍ରତୀକ୍ଷା ଓ ପ୍ରାର୍ଥନା

ଆଖିପତା ତଳୁ ପୋଛିଦେଇ ଲୁହ ଆସ ଆଗୋ ନିରିମାଖୀ
ଉଦିତ ଭାନୁ ଯେ ପ୍ରତୀକ୍ଷା କରିଛି ପାଛୋଟି ନେବାକୁ ସଖୀ!
ମେଲାଣି ମାଗଇ ରାତିର ଆୟୁଷ ମାଖି ଲାଜ ଲାଜ ରଙ୍ଗ
ଅଗଣାରେ ଜଗି ବସିଛି ସୂରୁଜ ପାଇବାକୁ ତୁମ ସଙ୍ଗ।

ଅପସରିଯାଏ ତାରାଫୁଲ ହସ ନୀଳ ସୀମାରେଖା ଦେଇ
ସ୍ମୃତିର ମହକେ ଫେରିଆସ ସଖୀ ପ୍ରତୀକ୍ଷାର ପଥ ଡ଼େଇଁ
ଭୁଲିବାକୁ ହୁଏ ପାହାଡ଼ ସେପାରି ଦୂର ଗାଆଁ ବଣ ନଈ
ଅସ୍ପଷ୍ଟ ଅତୀତ ଫିକା ପଡ଼ିଯାଏ ସୂରୁଜର ଛୁଆଁ ପାଇ।

ଦିଅଁବେଦୀ ପରେ ସଜାଗ ଈଶ୍ଵର ଖୋଲିଯାଏ ରୁଦ୍ଧ ଦ୍ଵାର
ମନର ଗହନେ ବିଲୁପ୍ତି ପିଣ୍ଡରୁ ଜିଇଁଉଠେ  ମୃତ  ସ୍ୱର
ତୋଳିନିଅ ତାକୁ ହୃଦ ପାରାବାରେ ଗାଇ ଆବାହନୀ ସ୍ତୁତି
ପ୍ରତୀକ୍ଷାର ଅନ୍ତେ ପ୍ରାର୍ଥନା ସୁରରେ ଲଭିବାକୁ ଚିରଶାନ୍ତି।

ସେ କେଉଁ ମନ୍ଦିର ପୂଜା ଅର୍ଚ୍ଚନା ନାହିଁ କେବେ ଅବସୋସ
ପ୍ରତୀକ୍ଷାରୁ ଯହିଁ ଆରମ୍ଭେ ଦିବସ ପ୍ରାର୍ଥନାରେ ହୁଏ ଶେଷ !