ସମଲିଙ୍ଗୀ ବିବାହର ପ୍ରଶ୍ନ : ଧର୍ମ ବଡ ନା ସମ୍ବିଧାନ ??

ଭାରତରେ ବିବାହ ଏକ ଆଇନଗତ ବ୍ୟବସ୍ଥା ନା ଏହା ଏକ ଧାର୍ମିକ ଅନୁଷ୍ଠାନ ?
ବିବାହ କେବଳ ପରମ୍ପରା ଓ ଧର୍ମ ଆଧାରରେ ସ୍ଵୀକୃତି ପାଇବ ନା ଭାରତୀୟ ସମ୍ବିଧାନ ଦେଇଥିବା “ସମାନତାର ଅଧିକାର” (ଧାରା-୧୪), ଭେଦଭାବ ବିରୋଧୀ ଅଧିକାର (ଧାରା -୧୫), ବଞ୍ଚିବାର ଅଧିକାର (ଧାରା-୨୧) ଏବଂ ସ୍ଵତନ୍ତ୍ର ବିବାହ ଆଇନ-୧୯୫୪ ଅନୁଯାୟୀ ସ୍ଵୀକୃତି ପାଇବ ?
ଏ ଦୁଇଟି ପ୍ରଶ୍ନ ଆଜି ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଦେଶର ସର୍ବୋଚ୍ଚ ଅଦାଲତ ଏବେ ସମଲିଙ୍ଗୀ ବିବାହକୁ ସ୍ଵୀକୃତି ଦିଆଯିବ କି ନା, ସେ ପ୍ରସଙ୍ଗରେ ଶୁଣାଣୀ ଜାରି ରଖିଛନ୍ତି । ଦେଶର ସର୍ବୋଚ୍ଚ ଅଦାଲତ ଏକ ମାମଲାର ଶୁଣାଣୀ କରୁଥିବା ବେଳେ ତାଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଯାଇ ଖୋଦ କେନ୍ଦ୍ର ସରକାର, ଦେଶର ବାର କାଉନ୍ସିଲ ଏବଂ ଧାର୍ମିକ ସଙ୍ଗଠନଗୁଡିକ ଏ ମାମଳାକୁ ବିରୋଧ କରୁଛନ୍ତି । ଏ ସମ୍ପର୍କରେ ଆଇନ ତିଆରି କରିବାର ଅଧିକାର କେବଳ ସଂସଦର ରହିଛି ବୋଲି ଏକାଧିକ ଥର କେନ୍ଦ୍ର ଆଇନମନ୍ତ୍ରୀ କହି ସାରିଲେଣି । ଆଇନ ଅନୁଯାୟୀ କୌଣସି ମାମଲା ସୁପ୍ରିମକୋର୍ଟ ବା ହାଇକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଏ ପ୍ରସଙ୍ଗରେ କୌଣସି ମତ ଦେବା ସରକାରଙ୍କ ପକ୍ଷରେ ଅନୈତିକ । ତେବେ ନୀତି ଓ ନୈତିକତା ସମ୍ପର୍କରେ ଅନ୍ତତଃ ଆଜିର କେନ୍ଦ୍ର ଆଇନ ମନ୍ତ୍ରୀ ବିଶେଷ କିଛି ଜାଣନ୍ତି ନାଇଁ ।
ଦେଶର ପ୍ରାୟ ଦେଢ କୋଟି ସମଲିଙ୍ଗୀ ଜନତାଙ୍କ ଅଧିକାରକୁ ଧର୍ମ ନାମରେ ଛାପି ଦେବା ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିବାର ଅଧିକାର କାହାର ନାଇଁ । ସରକାର ଏବଂ ଧାର୍ମିକ ସଙ୍ଗଠନଗୁଡିକ ଯେଉଁ ଯୁକ୍ତି କରୁଛନ୍ତି, ତାହା ପଛରେ କେବଳ ସାମନ୍ତବାଦୀ ବିଶ୍ଵାସ ରହିଛି । ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ କୌଣସି ଆଇନ ତିଆରି କରୁନାହାନ୍ତି, ( ସୁପ୍ରିମୋ କୋର୍ଟ ଆଇନ ତିଆରି କରିପାରିବେ ନାହିଁ ) ବରଂ ବର୍ତ୍ତମାନ ରହିଥିବା ଆଇନ ଭିତରେ ଏ ପ୍ରକାର ବିବାହ ସ୍ଵୀକୃତି ପାଇପାରିବ କି ନାହିଁ - ତାର ବିଚାର କରୁଛନ୍ତି ।
ଗତ ଦଶବର୍ଷ ଭିତରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କକୁ ନେଇ ଅନେକ ଐତିହାସିକ ରାୟ ଦେଇ ସାରିଛନ୍ତି । ସମଲିଙ୍ଗୀ ସମ୍ପର୍କ ବେଆଇନ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ୨୦୧୮ରେ ରାୟ ଦେଇଥିଲେ । ଏବେ ସମଲିଙ୍ଗୀଙ୍କ ବିବାହ ଏବଂ ସହାବସ୍ଥାନକୁ ନେଇ ବିଚାର କଲା ବେଳେ ଅନେକ ଜଟିଳ ପ୍ରସଙ୍ଗ ଆସିବ । ସମ୍ପତ୍ତିର ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଲାଳନ ପାଳନର ଅଧିକାର, ବୈଧାନିକ ଭାବରେ ଛାଡପତ୍ର ଦେବାର ଅଧିକାର ଏବଂ ଭରଣ ପୋଷଣର ଅଧିକାର ପ୍ରସଙ୍ଗ ମଧ୍ୟ ଏହା ଭିତରେ ଉଠିବ ।
ସବୁଠୁ ମଜାର କଥା ହେଉଛି, ବିଜେପି ସରକାର ଏହି ବ୍ୟବସ୍ଥାକୁ ସ୍ଵୀକୃତି ଦେବା ବିରୋଧରେ ପ୍ରଚୁର ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଏହାକୁ ସାମାଜିକ ଏବଂ ଧାର୍ମିକ ପ୍ରସଙ୍ଗ ବୋଲି କହି ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ଚୁପ ରୁହନ୍ତୁ ବୋଲି ପରୋକ୍ଷରେ ଚାପ ପ୍ରୟୋଗ କରାଯାଉଛି । ଇଏ ହେଉଛି ସେହି ଭାରତୀୟ ଜନତା ପାର୍ଟିର ସରକାର ଯିଏ ସମାନ ନାଗରିକ ସଂହିତା ବା କମନ ସିଭିଲ କୋଡ ଆଣିବାକୁ ବାରମ୍ବାର ଯୁକ୍ତି କରିଆସୁଛି । ସମାନ ନାଗରିକ ସଂହିତା ଆସିଲେ ହିନ୍ଦୁ କୋଡ ବିଲ ଏବଂ ମୁସ୍ଲିମ ପର୍ଶନାଲ ଲ ଆଉ କାମ କରିବ ନାଇଁ । ସମାନ ନାଗରିକ ସଂହିତାରେ ଏଲଜିବିଟିକ୍ୟୁଙ୍କ ଦାବୀ ମଧ୍ୟ ସମାନ ରହିବ । କେବଳ ଯୌନତା ଆଧାରରେ କାହାକୁ ବଞ୍ଚିବାର ଏବଂ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏ ଦୃଷ୍ଟିରୁ ବିଜେପି ପ୍ରଥମେ ସ୍ଥିର କରୁ ଯେ ସେମାନେ ନିଜର ସମାନ ନାଗରିକ ସଂହିତାର ଲକ୍ଷ୍ୟକୁ ବିରୋଧ କରୁଛନ୍ତି କି ?
ପୃଥିବୀର ୩୪ତି ଦେଶ ସମଲିଙ୍ଗୀ ବିବାହକୁ ସ୍ଵୀକୃତି ଦେଇ ସାରିଛନ୍ତି । ଏ ପ୍ରସଙ୍ଗରେ ମାନବ ଅଧିକାର ଏବଂ ସାମାଜିକ ସମାନତାର ଅଧିକାର ପାଇଁ ଭବିଷ୍ୟତ ମାର୍ଗ ମଧ୍ୟ ପ୍ରସ୍ତୁତ ହେବ । ଗୋଟେ ପ୍ରତିକ୍ରିୟାଶୀଳ ଏବଂ ରକ୍ଷଣଶୀଳ ସମାଜ ଭାବରେ ଆମେ ରହିବା ନା ସବୁ ପ୍ରକାର ନାଗରିକଙ୍କ ପ୍ରତି ସମାନ ଅଧିକାର ଆମ ଆଇନ ଦେବ, ତାହା ଏହି ରାୟ ଫଳରେ ସ୍ପଷ୍ଟ ହେବ ।