ଆହା...... କାହିଁକି ବୁଝି ପାରିଲୁ ନାହିଁ?

ଆତ୍ମସମ୍ମାନ,
ଓ ସ୍ବାଭିମାନର ନିଆଁରେ
ହୁତୁହୁତୁ ଜଳେଇଦେଲୁ
ଦେହଟିକୁ,
ସ୍ନେହର ଶଙ୍ଖାଳି
ନୟନ ପିତୁଳା ମାଆ ମୋର,
ଆହା, କାହିଁକି ବୁଝି ପାରିଲୁ ନାହିଁ
ତୋର ସେଇ
ନିଷ୍ପାପ କଅଁଳ ଦେହଟି ଯେ
ଏକମାତ୍ର ମୂଳଧନ
ସେମାନଙ୍କ କୁତ୍ସିତ ଲାଳସାର ବଜାରରେ
ବିକିଭାଙ୍ଗି, ବିଦ୍ୟା, ବୁଦ୍ଧି, ଧନ-ମାନ
ଯଶ-କିର୍ତ୍ତୀ - ସବୁ ଅର୍ଜିବାର।
ଦେହଟିକୁ ଖେଳନା କରି
ଖେଳିଥାନ୍ତୁ ସିନା-!
ଦେଖିଥାନ୍ତୁ କେମିତି
ଜମିଥାନ୍ତା ଭୋଗବାଦର ବେପାର
ରାତାରାତି, ପ୍ରତିଷ୍ଠା ପ୍ରତିପତ୍ତିର
ଆକାଶଛୁଆଁ ଭରସା ପାଲଟି ଯାଇଥାନ୍ତା
ତୋ ରକ୍ତ- ମେଦ- ମା°ସର
ଛୋଟ ଖେଳଘର।
ଲୁଚି ଲୁଚି ଅନ୍ଧାରରେ
ତୋ ପାଦ ତଳେ ଲୋଟିଥାନ୍ତେ
ନାରୀମା°ସ ଲାଳସୀ
ଲକ୍ଷେ ସୌଦାଗର।
ଯୁଗେଯୁଗେ....
ନାରୀର ମାନ- ଅପମାନ
ନିନ୍ଦା-ପ୍ରଶ°ସାର
ମାନନୀୟ ନିୟାମକ।
ତାଙ୍କୁ ସାଇତି ସମ୍ଭାଳି ପାରିଲେ
ଏ ସୃଷ୍ଟିର ସବୁ ସି°ହାସନ
ତୋରି କେବଳ ତୋର।
ଆହା....,
ଆତ୍ମାର ଟିକିଏ ସାଲିସ୍ ହୀନତା ପାଇଁ
କାହିଁକି ଜାଳିଦେଲୁ
ତୋ ପାଇଁ, ସେମାନେ ମେଲାଇଥିବା
ଏତେ ବିପୁଳ ବ୍ୟବସାୟର
ସାମ୍ରାଜ୍ୟକୁ
ନିମିଷକରେ ମୋ ଧନମାଳୀ?
କାହିଁକି ବୁଝି ପାରିଲୁ ନାହିଁ
ସ୍ବାଭିମାନର ଜଳନ୍ତା
ଦିଆସିଲି କାଠିଟି ଯେ
ସବୁଠାରୁଁ ବଡ
ନିର୍ମମ ହତ୍ୟାକାରୀ
ରୂପ-ଗୁଣ-ଚରିତ୍ରସମ୍ପନ୍ନା
ବିଦ୍ରୋହୀ ନାରୀର...!
କପାଳେଶ୍ବର, ଠାକୁରପାଟଣା, କେନ୍ଦ୍ରାପଡ଼ା