ଦୁଇଟି କବିତା
(ଏକ)
ମୋ ଦୁଃଖଟି ସବୁଠୁ ବଡ଼,
ଓ ସବୁଠାରୁ ଓଜନିଆ ଲୁହଟି
ବି ମୋର!
ଏତିକି କହିଦେଇ
ସେ ହସିଉଠିଲା ଏମିତି,
ଯେମିତି ସଂସାରର ସୁନ୍ଦରତମ
ହସଟି ତା'ର...
ମୋ ଆଖି ଦାଢ଼ରେ ନଈଟିଏ
ଢଳଢଳ ସେତେବେଳେ,
ତା' ଆଖିର ଗଣ୍ଡରେ
ସୂର୍ଯ୍ୟ ବୁଡିବାର ବେଳ...
(ଦୁଇ)
"ଘରକୁ ଫେରିଆସନ୍ତି
ପକ୍ଷୀଯେତେ, ବେଳବୁଡ଼େ,
ଆକାଶକୁ ମୁହଁ ମୋଡିଦେଇ..."
କିଏ ଶିଖେଇଛି ପକ୍ଷୀମାନଙ୍କୁ
ଆକାଶକୁ ତୁଚ୍ଛ ଭାବି
ଏମିତି ଫେରିଆସିବା ମାଟିକୁ?
ଉଡିବାକୁ ଜନ୍ମ ଯା'ର,
ଯୁଗ ଯୁଗ ଧରି
କିଏ ବାନ୍ଧିଦେଇଛି ତା'କୁ
ମାଟିମୋହର ଏ ଶିକୁଳିରେ...?
ଉଡାଣ ମିଛ,
ଓ ଲେଉଟାଣ ହିଁ ସତ ବୋଲି,
ଗୁଜବଟେ କିଏ ଗଢିଛି?