ବିନୋଦ ଭିତ୍ତଲଙ୍କ କବିତା
ନାରୀ : ୨୦୨୬
ମୂଳ ରଚନା - ବିନୋଦ ଭିତ୍ତଲ
ଅନୁବାଦ - କେଦାର ମିଶ୍ର
( ବିନୋଦ ଭିତ୍ତଲ, ହିନ୍ଦୀ ସାହିତ୍ୟର ଏକ ଚର୍ଚ୍ଚିତ ଚେହେରା । ଅଳ୍ପ କବିତା ଲେଖି ଖୁବ ଚମତ୍କାର ବକ୍ତବ୍ୟ ବାଢିବାରେ ସେ ସିଦ୍ଧହସ୍ତ । ମୂଳତଃ ରାଜସ୍ତାନର ବାସିନ୍ଦା। )
୧
ନାରୀମାନେ ବହୁତ କମ୍ ଲଢ଼ିଛନ୍ତି ଯୁଦ୍ଧ
ସାକ୍ଷୀ ଅଛି ଇତିହାସ
ସଭ୍ୟତା ନଦୀ କୂଳରେ ନୁହେଁ
ନାରୀମାନଙ୍କ କୂଳରେ ହିଁ
ଗଢିଉଠିଛି ସବୁ ବେଳେ ।
୨
ବିଜେତା ପୁରୁଷମାନେ ତିଆରି କଲେ ଦୁର୍ଗ
ନାରୀମାନେ ତିଆରି କଲେ ଘର।
ଦୁନିଆ ଆଜି ବି ଘର ଭିତରେ ରହେ
ଦୁର୍ଗ ସେମିତି ପଡି ରହେ ପରିତ୍ୟକ୍ତ ।
୩
ପୃଥିବୀର ସବୁ ଆକ୍ରମଣକାରୀ
ଜୟ କରନ୍ତି ରାଜ୍ୟ,
ଜମି, ସୁବର୍ଣ୍ଣ ଓ ସ୍ତ୍ରୀଲୋକ।
ସବୁ ଯୁଦ୍ଧରେ ପରାସ୍ତ ହୁଅନ୍ତି ନାରୀମାନେ
ଏପରିକି ବିଜେତା ପକ୍ଷର ନାରୀ ବି
ପରାସ୍ତ ହୁଅନ୍ତି ବିଜୟରେ ।
୪
ମିଛ, ମୁଦ୍ରାର ଆବିଷ୍କାର ପରେ ବଦଳି ନଥିଲା ପୃଥିବୀ ।
ଏପଷ୍ଟିନ୍!
ବଜାର, ସୂଚକାଙ୍କ, ଇ- ବିନିମୟର ସମୟରେ ବି
ତୁ ସ୍ତ୍ରୀଧନ ବଳରେ
ଜିତିଲୁ ଏଇ ପୃଥିବୀକୁ
ବିଟ୍ କଏନ୍ ଯୁଗରେ ବି
ତୁ ବାଜିରେ ଲଗେଇଲୁ ନାରୀକୁ ।
ଦୂରତା
କେତେ ଦୂରେ ଅଛି ମୁଁ ତୁମ ଠାରୁ
ଯେତେ ଦୂରେ ଅଛି ଦିଲ୍ଲୀରେ ରିକ୍ସା ଚଳାଉଥିବା ରମଇ ରାମ ଠାରୁ ଏମ୍ସ
ଜିଟି ରୋଡରୁ ସୁପ୍ରିମ କୋର୍ଟ
ଶାହିନ ବାଗରୁ ସଂସଦ
ଯେତେ ଦୂରରେ ଅଛି
ଭୁବନେଶ୍ଵରରୁ କଳାହାଣ୍ଡି
ଏଣ୍ଟିଲିଆରୁ ଧରାବୀ
ସେତିକି ଦୂରରେ ଅଛି ମୁଁ ତୁମ ଠାରୁ
ଯେତିକି ଦୂରରେ ଅଛି
କୁମ୍ଭରେ ହଜି ଯାଇଥିବା ଗୋଟିଏ ପାଦର ଚପଲ
ଅନ୍ୟ ପାଦରେ ରହି ଯାଇଥିବା ଚପଲ ଠାରୁ
ଯାହାକୁ ଦୂରତା ମାପିବା ଜଣାନାହିଁ
ଜଣା କେବଳ ପ୍ରତୀକ୍ଷା କରିବା ।
ଅନୁବାଦ- ନନ୍ଦିତା ମହାନ୍ତି