ମୋଟା ଟଙ୍କା, ପତଳା ଟଙ୍କା
ଟଙ୍କା ପତଳା ହେବା ବିଷୟରେ ଏବେକାର ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ କହିଥିଲେ । ଏହା ଥିଲା ୨୦୧୨ ମସିହା ଫେବୃଆରୀ ୨୮ ତାରିଖର କଥା । ଯେତେବେଳେ ଏକ ଡଲାରର ମୁଲ୍ୟ ୫୭ ଟଙ୍କାରେ ପହଞ୍ଚିଥିଲା ସେତେବେଳେ ସେ ଏକ ଅତି ଆକ୍ରମକ ମୁଦ୍ରାରେ ତତ୍କାଳୀନ ୟୁପିଏ ସରକାରକୁ ପ୍ରଶ୍ନ କରି କହିଥିଲେ “ ମୁଁ ଶାସନରେ ବସିଛି, ମୁଁ ଜାଣିଛି, ଏଭଳି ଭାବେ ରୁପିଆର ମୁଲ୍ୟ କମିବାର କଥା ନୁହେଁ, ନେପାଳର ଟଙ୍କା ଖସୁନି, ବାଙ୍ଗଳାଦେଶର ମୁଦ୍ରା ଖସୁନି, ପାକିସ୍ଥାନର ମୁଲ୍ୟ ଖସୁନି, ଶ୍ରୀଲଙ୍କାର ମୁଦ୍ରା ଖସୁନି, କେଉଁ କାରଣରୁ ହିନ୍ଦୁସ୍ଥାନର ରୁପିଆ ପତଳା ହୋଇ ଚାଲିଛି ?’ ଏବେ ଆପଣ ବୁଝି ପାରିଥିବେ ଟଙ୍କା ମୋଟା ପତଳା ହେବା କହିଲେ ତାହାର ମାନେ କଣ । କେବଳ ପ୍ରଧାଧମନ୍ତ୍ରୀ ମୋଦୀ ନୁହନ୍ତି, ସିନେମା ଅଭିନେତ୍ରୀ ଜୁହି ଚାଓଲା, ଅଭିନେତା ଅନୁପମ ଖେର, ଧର୍ମଗୁରୁ ରବିଶଙ୍କର ଆଦି ବିଭିନ୍ନ କ୍ଷେତ୍ରର ଅନେକ ତାରକା ଟଙ୍କାର ମୁଲ୍ୟ ଖସିବାକୁ ନେଇ ତତ୍କାଳୀନ ସରକାରର ଟାହି ଟାପରା କରିଥିଲେ ।
ଆଜି ଡଲାରର ମୁଲ୍ୟ ପାଖାପାଖି ୯୭ ଟଙ୍କାରେ ପହଞ୍ଚି ଗଲାଣି । ମୋଦୀ ୨୬ ମଇ ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେଦିନ ଡଲାର ତୁଳନାରେ ଭାରତୀୟ ମୁଦ୍ରା ପ୍ରାୟ ୫୯ ଟଙ୍କା ଥିଲା । ୨୪ ମଇ ୨୦୨୬ ବେଳକୁ ତାହା ଖସି ଖସି ପ୍ରାୟ ୯୭ ଟଙ୍କାରେ ପହଞ୍ଚି ଯାଇଛି । ତେଣୁ ମୋଦୀଙ୍କ ଶାସନର ୧୨ ବର୍ଷରେ ଟଙ୍କାର ମୁଲ୍ୟ ୬୪% ଖସିଛି । ଯଦି ବାର୍ଷିକ ହାରାହାରିକୁ ଦେଖିବା ତେବେ ପ୍ରତିବର୍ଷ ହାରାହାରି ଏହା ୪ରୁ ୫ ପ୍ରତିଶତ ଖସିଛି । ପାକିସ୍ଥାନ ରୁପିଆ ତୁଳନାରେ ଭାରତ ରୁପିଆ ଗତ ବର୍ଷକ ମଧ୍ୟରେ ୧୨% ଖସିଛି । ୨୦୨୫ ମଇ ୧୫ ତାରିଖରେ ଭାରତୀୟ ୧ ରୁପିଆର ଦାମ୍ ପାକିସ୍ଥାନୀ ୩.୨୯ ରୁପିଆ ଥିଲା । ୨୦୨୬ ମଇ ୧୫ ତାରିଖରେ ଭାରତୀୟ ୧ ରୁପିଆର ଦାମ ପାକିସ୍ଥାନୀ ୨.୯୦ ରୁପିଆ ଥିଲା । ବଙ୍ଗଳାଦେଶୀ ଟାକା ତୁଳନାରେ ବି ଭାରତୀୟ ରୁପିଆ ଖସିଛି ।
ଏବେ ଭାରତରେ ଟଙ୍କାର ମୁଲ୍ୟ କମିବାକୁ ନେଇ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରେ ଦୁଇଟି ମତ ପ୍ରକାଶ ପାଇଛି ।
୧୬ଶ ବିତ୍ତ ଆୟୋଗର ଅଧ୍ୟକ୍ଷ ଓ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗେରିଆ କହୁଛନ୍ତି – ଡଲାର ତୁଳନାରେ ଟଙ୍କାର ମୁଲ୍ୟ କମିବାକୁ ଭୟ କରିବା ଦରକାର ନାହିଁ। ଡଲାରର ମୁଲ୍ୟ ୧୦୦ ଟଙ୍କା ହେଲେ ମଧ୍ୟ ଏହା ଏକ ସାଧାରଣ ସଂଖ୍ୟା ମାତ୍ର। ଏଥିପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ଗଚ୍ଛିତ ଡଲାର ବଜାରକୁ ଛାଡି ଟଙ୍କାର ମୁଲ୍ୟ କମିବାରୁ ରୋକିବା ଠିକ ନୁହେଁ। ତାଙ୍କର କହିବା କଥା ହେଉଛି ଟଙ୍କାର ମୁଲ୍ୟ କମିଲେ ରପ୍ତାନୀରୁ ମିଳୁଥିବା ଡଲାରରୁ ଅଧିକ ଟଙ୍କା ମିଳିବ ଏବଂ ରପ୍ତାନୀ ବଢ଼ିବ ଓ ଆମଦାନୀ କମିବ।
ଭାରତ ସରକାରର ପୂର୍ବତନ ମୁଖ୍ୟ ଅର୍ଥନୀତି ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟମ ମତ ଦେଉଛନ୍ତି ଯେ ଟଙ୍କାର ମୂଲ୍ୟ ସ୍ୱାଭାବିକ ଭାବେ କମିବା ଉଚିତ୍। ଏହା ଅର୍ଥନୀତିର ସମନ୍ୱୟ ପାଇଁ ସହାୟକ ହୁଏ।
ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପୂର୍ବତନ ପ୍ରଥମ ଉପ ପରିଚାଳନା ନିର୍ଦ୍ଦେଶକ ଓ ହାର୍ଭାର୍ଡ ପ୍ରଫେସର ଗୀତା ଗୋପୀନାଥ କହୁଛନ୍ତି ରିଜର୍ଭ ବ୍ୟାଙ୍କର ଗଚ୍ଛିତ ଡଲାର ଖର୍ଚ୍ଚ ନ କରି ଟଙ୍କାକୁ ସ୍ୱାଭାବିକ ଭାବେ କମିବାକୁ ଦିଆଯାଉ। ଏହା ଆମଦାନୀ କମାଇବ, ରପ୍ତାନୀ ବଢ଼ାଇବ ଓ ଅର୍ଥନୀତିକୁ ସଠିକ ପଥରେ ନେବ। ଏହି ତିନିଜଣ ଅର୍ଥନୀତିଜ୍ଞ ଟଙ୍କାର ମୁଲ୍ୟ କମିବାରେ ସରକାରଙ୍କୁ ଚିନ୍ତିତ ନ ହେବାକୁ ପରାମର୍ଶ ଦେଇଛନ୍ତି ।
ଅନ୍ୟ ପକ୍ଷରେ ପୁର୍ବତନ ଅର୍ଥସଚିବ ସୁବାସ ଚନ୍ଦ୍ର ଗର୍ଗ ମତ ଦେଇଛନ୍ତି ଯେ ଅଦ୍ୟାବଧି ଟଙ୍କା ବହୁତ ଖସି ସାରିଛି । ଟଙ୍କା ଏବେ ସୁଦ୍ଧା ତା’ର ଠିକ୍ ମୂଲ୍ୟ ଠାରୁ ମଧ୍ୟ ବହୁତ କମ୍ ହୋଇ ସାରିଛି । ବର୍ତ୍ତମାନ ଟଙ୍କାର ସଠିକ୍ ସ୍ତର ପ୍ରାୟ ୯୦-୯୨ ଟଙ୍କା ହେବା ଉଚିତ୍ ଥିଲା, କିନ୍ତୁ ଏବେ ଏହା ୯୬-୯୭ ରେ ପହଞ୍ଚି ଯାଇଛି। କେତେକ ଅର୍ଥନୀତିଜ୍ଞମାନେ ଯେଉଁ କହୁଛନ୍ତି “ଆହୁରି ଖସିବାକୁ ଦିଅ, ଚିନ୍ତା କରିବା ଦରକାର ନାହିଁ” — ଏହା ଭୁଲ୍ କଥା। ଏହା ଅର୍ଥନୀତିକୁ ଆହୁରି ଖରାପ୍ କରିବ।
ଏକଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ସଭ୍ଯ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରେ ଭାରତ ତରଫରୁ ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଥିବା ସୁରଜିତ ଭାଲ୍ଲା ଟଙ୍କାର ମୂଲ୍ୟକୁ ତା ବାଟରେ ଛାଡ଼ି ଦେବାକୁ ବିରୋଧ କରନ୍ତି । ରିଜର୍ଭ ବ୍ୟାଙ୍କ ଯେପରି ଟଙ୍କାର ମୁଲ୍ୟ ହ୍ରାସ ରୋକିବା ପାଇଁ ନିଜ ପାଖରେ ଥିବା ଡଲାର ବଜାରକୁ ଛାଡି ଏଥିରେ ହସ୍ତକ୍ଷେପ କରୁଛି ତାହାକୁ ସେ ସମର୍ଥନ କରୁଛନ୍ତି । ସେ କହୁଛନ୍ତି ଭାରତର ଆର୍ଥିକ ପରିସ୍ଥିତି ୨୦୧୩ ପରି ନୁହେଁ — ଆଜି ଆର୍ଥିକ ସ୍ଥିତିର ଅନ୍ୟ ମୁଖ୍ୟ ଲକ୍ଷଣ ଭଲ ଅଛି, ତେଣୁ ଟଙ୍କା ଏତେ ଦୁର୍ବଳ ହେବା ଉଚିତ୍ ନୁହେଁ। ଅତ୍ୟଧିକ ହସ୍ତକ୍ଷେପ ନକରି ମଧ୍ୟ ଟଙ୍କାକୁ ସ୍ଥିରତା ଦେବା ଉଚିତ୍ । ଟଙ୍କାର ଅଧିକ ଦୁର୍ବଳତା ମୂଲ୍ୟବୃଦ୍ଧି, ତୈଳ ମୂଲ୍ୟ ବୃଦ୍ଧି ଏବଂ ବିନିଯୋଗ ଉପରେ ଖରାପ ପ୍ରଭାବ ପକାଇପାରେ। ସେ ଅଧିକ ସକ୍ରିୟ ନୀତି (କିଛି ହସ୍ତକ୍ଷେପ + ସଂରଚନାଗତ ସୁଧାର) ପକ୍ଷରେ ଅଛନ୍ତି।
ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଓ ହିନ୍ଦୁସ୍ଥାନ ଟାଇମ୍ସର ପୁର୍ବତ୍ତନ ସମ୍ପାଦକ ରାଜେଶ ମହାପାତ୍ର ସତ୍ୟହିନ୍ଦି ନାମକ ଏକ ଡିଜିଟାଲ ଚ୍ୟାନେଲରେ ଏ ବିଷୟରେ ନିଜ ମତ ରଖିଛନ୍ତି । ରାଜେଶ ମହାପାତ୍ର କୁହନ୍ତି ଯେ ରିଜର୍ଭ ବ୍ୟାଙ୍କ ଯେପରି ଟଙ୍କାର ଅତ୍ୟଧିକ ପତନ ରୋକିବା ପାଇଁ ଡଲାର ବିକ୍ରି କରି ହସ୍ତକ୍ଷେପ କରୁଛି ତଦ୍ବାରା ଏହା ଅଳ୍ପ ସମୟ ପାଇଁ ଟଙ୍କାକୁ ସ୍ଥିର ରଖିପାରେ, କିନ୍ତୁ ଏହା ଦୀର୍ଘକାଳୀନ ସମାଧାନ ନୁହେଁ। ଏହା ବିଦେଶୀ ମୁଦ୍ରା ଭଣ୍ଡାରକୁ କ୍ଷୟ କରେ। ଟଙ୍କାର ମୁଲ୍ୟ କମିବା ସବୁବେଳେ ଅର୍ଥନୀତି ପାଇଁ ଯେ ଭଲ ସେ ବିଷୟରେ ମଧ୍ୟ ରାଜେଶ ମହାପାତ୍ର ଅସହମତି ଜଣାଇଛନ୍ତି । ସେ କହିଛନ୍ତି ଜାପାନ୍ ଏବଂ ଚୀନ୍ ପରି ରପ୍ତାନୀ ଅଭିମୁଖୀ ଅର୍ଥନୀତିରେ ମୁଦ୍ରାର ଅବମୂଲ୍ୟାୟନ ଲାଭଦାୟକ ହୋଇଥାଏ। ଏହା ରପ୍ତାନୀକୁ ଶସ୍ତା କରେ, ବିଦେଶୀ ବଜାରରେ ପ୍ରତିଯୋଗିତା ବଢ଼ାଏ ଓ ଅର୍ଥନୀତିକୁ ଗତି ଦେଇଥାଏ। ଜାପାନ୍ ବହୁବର୍ଷ ଧରି ଯେନ୍ (Yen) କୁ ନିୟନ୍ତ୍ରିତ ଭାବେ ଦୁର୍ବଳ ରଖି ଏହି ଫର୍ମୁଲା ବ୍ୟବହାର କରିଛି। କିନ୍ତୁ ଭାରତର କ୍ଷେତ୍ରରେ ଏହା ଲାଗୁ ନୁହେଁ । ଭାରତର ଆମଦାନୀ ଅଧିକ । ଟଙ୍କାର ପତନ ହେଲେ ଆମଦାନୀ ମହଙ୍ଗା ହୁଏ , ମୁଲ୍ୟବୃଦ୍ଧି ହୁଏ ଓ ସାଧାରଣ ଲୋକଙ୍କ ଉପରେ ତାହାର ବୋଝ ପଡେ । ତଥାପି ଟଙ୍କାକୁ ଜବରଦସ୍ତ ଭାବେ ରକ୍ଷା କରିବା ପାଇଁ ଅତ୍ୟଧିକ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ବରଂ ରପ୍ତାନି ପ୍ରୋତ୍ସାହନ, ଉତ୍ପାଦନ କ୍ଷେତ୍ରର ବୃଦ୍ଧି ଏବଂ ବିତ୍ତୀୟ ଅନୁଶାସନ ଭଳି ଅର୍ଥନୈତିକ ସୁଧାର ମାଧ୍ୟମରେ ଟଙ୍କାର ସ୍ଥିରତା ଆଣିବା ଉଚିତ୍। ଜାପାନ୍/ଚୀନ୍ ପରି ଏକ୍ସପୋର୍ଟ୍ ବୃଦ୍ଧି ଉପରେ ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି ।