ମୁଁ ଚାହେଁ
ମୋ ଚାହିଁବା ବାହାରେ ଅନେକ କିଛି ଘଟେ
ରାତିରେ ଠିକ୍ ସମୟରେ ନିଦ ଆସେନାହିଁ
ଗୁଡ଼ାଏ ଦୂର୍ଭାବନା ସଖୀ ସଙ୍ଗାତ ପରି ଡକାଡକି ହୋଇ ଆସି
ମୁଣ୍ଡ ପାଖରେ ବସି ଗପ ଜମାନ୍ତି
ଗାଁର ଅନ୍ଧାର ଆକାଶରେ ପିଲାଦିନର ସେ ଉଜ୍ଜ୍ୱଳ ତାରା
ଏବେ ଆଉ ସେତେ ତୋରା ଦିଶେନାହିଁ
ଗାଁ ମୁଣ୍ଡର ମଶାଣିକୁ ବି ଆଉ ଭୟ ଲାଗେ ନାହିଁ
ମୁଁ ଚାହେଁ ମୃତ୍ୟୁ ମତେ ପିଲା ଦିନ ପରି ଡରାଉଥାଉ
ହେଲେ ଜୀବନ କହେ
ଯେଉଁଠି ତୁ ରହୁଛୁ ସେ ପରା ଗୋଟେ ମଶାଣି ଭୂଇଁ।
ମୋ ଚାହିଁବା ବାହାରେ ଅନେକ କିଛି ଘଟେ ।
ଦେହରୁ ଅଲଗା ହୋଇଯାଏ ମୁହଁ
ମୁହଁରୁ ଅଲଗା ହେଇ ଯାଏ ମସ୍ତିଷ୍କ
ମସ୍ତିଷ୍କ ରୁ ଅଲଗା ହୋଇଯାଏ ବିଚାର
ମୁଁ କିନ୍ତୁ ଚାହେଁ ବଞ୍ଚିରହୁ ପରିଚୟ ମଣିଷର ମଣିଷ ହେବାର।
ମୁଁ ଚାହେଁ ଫଳ ମାନଙ୍କରେ ବଞ୍ଚିରହୁ ସ୍ୱାଦ,
ସକାଳେ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଡୁବୁ ଥାଉ ସୂର୍ଯ୍ୟ ।
ଆକାଶରେ ବଞ୍ଚିରହୁ ମେଘ
ମେଘ ପାଇଁ ସ୍ୱାଗତ ତୋରଣ ପିନ୍ଧିଥିବା ପାହାଡ଼ ବଞ୍ଚି ରହୁ
ବଞ୍ଚିବା ପାଇଁ ଯଦି କେବେ ଅଯୋଗ୍ୟ ଘୋଷିତ ହୁଏ
ମନ୍ଦିର ଘର୍,ବଜାର,ସଭା ସ୍ଥଳ
ତେବେ ଜଙ୍ଗଲ ତା ଆଡ଼କୁ ବାଟ କଢ଼େଇ ନେଉ ।
ଭିଡ଼ ହେଉ କିନ୍ତୁ ହତ୍ୟା ନ ହେଉ ମୁଁ ଚାହେଁ
ପବନ ଆକାଶକୁ ଭୟ ନକରୁ ମୁଁ ଚାହେଁ
ମୁ ଚାହେଁ ଘର ଓ ଖେଳ ପଡ଼ିଆ ମଝିରେ ରାସ୍ତା ରକ୍ତରେ ଲାଲ ନ ହେଉ
ଗୁଳି ସବୁ ଚଢ଼େଇ ମାନଙ୍କ ଖାଇବା ପାଇଁ ଲାଲ୍ ଟୁକୁ ଟୁକୁଫଳ ପାଲଟି ଯାଉ
ଘର ନଭାଙ୍ଗି ବୁଲଡୋଜର ଫେରି ଯାଉ ।
ମୁଁ ଚାହେଁ,କିନ୍ତୁ ମୁଁ ଚାହିଁ ବାରେ ବା କଣ ଥାଏ?
ମୁଁ ପରା ପ୍ରେମ ବିଷୟରେ କବିତା ଲେଖିବାକୁ ବସି
ହତ୍ୟା ବିଷୟରେ କବିତା ଲେଖି ସାରିଥାଏ।