ଆମେ ଗାମୁଛା ବଞ୍ଚାଇ ପାରିବୁ ତ ?
ଆପଣ ପିଜା ଖାଇବାରେ ଶହେ ଟଙ୍କା ଖର୍ଚ୍ଚ କରି ଦେଉଛନ୍ତି, ଅଥଚ ପେଟ୍ରୋଲ କିଣିବାରେ ଲିଟର ପିଛା ଅଧିକ ୭/୮ ଟଙ୍କା ଖର୍ଚ୍ଚ ହୋଇଗଲେ ଆପଣ ହଲ୍ଲା କରୁଛନ୍ତି ? ଆଜିକାଲି କେତେକ ମୋଦି ଭକ୍ତ ଏମିତି କହିବାର ଆପଣ ଶୁଣିଥିବେ । ନହେଲେ ଫେସବୁକ ଓ ୟୁଟ୍ୟୁବରେ ଏମିତି କହିବାର ଶୁଣିଥିବେ ।
ଆପଣଙ୍କର ମନେ ଅଛି ? ନୋଟବନ୍ଦୀ ବେଳେ ଯେତେବେଳେ ହଜାର ହଜାର ଲୋକ ଏଟିଏମ ଆଗରେ ଲାଇନ୍ ଲଗେଇ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିଲେ, ସେତେବେଳେ ଏଇମାନେ କହୁଥିଲେ, ଆମ ଆର୍ମି ଜବାନ୍ ବର୍ଡରରେ ଛିଡା ହୋଇଛନ୍ତି, କିନ୍ତୁ କଳାଧନ ହଟାଇବା ପାଇଁ ଆପଣ କେଇ ଘଣ୍ଟା ବ୍ୟାଙ୍କ ଆଗରେ ଠିଆ ହୋଇ ପାରିବେ ନାହିଁ ? ନୋଟବନ୍ଦୀ ଦ୍ବାରା କଳାଧନ କେମିତି ହଟିଲା ତାହା ତ ଆପଣ ଜାଣିଛନ୍ତି । ଯେତିକି ଟଙ୍କାର ନୋଟ ବ୍ୟାନ ହୋଇଥିଲା ତାହାର ୯୯% ବ୍ୟାଙ୍କକୁ ଫେରି ଆସିଲା । ତାମାନେ ଏଟିଏମ ଆଗରେ ଲାଇନରେ ଛିଡା ହେବାକୁ ଏମାନେ ଦେଶଭକ୍ତି ସହିତ ଯୋଡିଲେ । କିନ୍ତୁ କେହି କହି ପାରିବେ କି , ସେତେବେଳେ ଆମେ ବ୍ୟାଙ୍କ ଆଗରେ ଛିଡା ହେବା ଦ୍ବାରା ବର୍ଡରରେ ଛିଡା ହୋଇଥିବା ସୈନ୍ୟଙ୍କର କଷ୍ଟ କେମିତି ଲାଘବ ହେଉଥିଲା ?
ଦେଶଭକ୍ତି ଏଇଠି ଶେଷ ହୋଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ହାଇଦ୍ରାବାଦ ଭାଷଣରେ ଦେଶବାସୀଙ୍କୁ ଦେଶଭକ୍ତି ଦେଖାଇବାକୁ ଆବେଦନ ରଖିଥିଲେ। ସେ କହିଥିଲେ କରୋନା ସମୟ ପରି work from home କର । ଇନ୍ଧନ ସଞ୍ଚୟ ପାଇଁ ପବ୍ଲିକ୍ ଟ୍ରାନ୍ସପୋର୍ଟ, କାର୍ପୁଲିଙ୍ଗ୍ ଓ ଇଭି ବ୍ୟବହାର କରନ୍ତୁ, ସୁନା କିଣିବା ସ୍ଥଗିତ ରଖନ୍ତୁ, ଅନାବଶ୍ୟକ ବିଦେଶ ଯାତ୍ରା କମ୍ କରନ୍ତୁ, ଖାଦ୍ୟ ତୈଳ ବ୍ୟବହାର କମାନ୍ତୁ, ମାନେ ସିଝା ଖାଆନ୍ତୁ । ସ୍ୱଦେଶୀ ପଣ୍ୟ ବ୍ୟବହାର କରନ୍ତୁ ଏବଂ ରାସାୟନିକ ସାର କମ୍ କରି ପ୍ରାକୃତିକ କୃଷି ଓ ସୌରଶକ୍ତି ବ୍ୟବହାର କରନ୍ତୁ।
ଏସବୁ ତ ହେବ । କିନ୍ତୁ ଏସବୁ କାହା ବଦଳରେ ହେବ ? ଯଦି ପିଜା ଖାଇବା ଛାଡି ମହଙ୍ଗା ପେଟ୍ରୋଲ କିଣିବୁ, ତାହେଲେ ପ୍ରଧାନମନ୍ତ୍ରୀ ଯାହା ସବୁ ଛାଡିବାକୁ କହିଲେ, ତାହା ବଦଳରେ କଣ ମିଳିବ ?
ଯେଉଁ ଲୋକଟି କହୁଛି ଆପଣ ପିଜା ଖାଇ ପାରୁଛନ୍ତି ଅଥଚ ମହଙ୍ଗା ପେଟ୍ରୋଲକୁ କାହିଁକି ବିରୋଧ କରୁଛନ୍ତି, ତାଙ୍କୁ ହଜାର ଟଙ୍କା ମାଗନ୍ତୁ । ତାକୁ କୁହନ୍ତୁ ଆପଣ ବାଇକ୍ ଚଢି ବୁଲୁଛନ୍ତି, ଅଥଚ ହଜାରେ ଟଙ୍କା ଦେବାକୁ କାହିଁକି ବିରୋଧ କରୁଛନ୍ତି ?
ଆମେ ସରକାରକୁ ଅଧିକ ଟଙ୍କା ଦେବା ପାଇଁ ପିଜା ଖାଇବା କାହିଁକି ଛାଡିବୁ ? ଆମେ ତ ସରକାରକୁ ଅଲରେଡି ଟ୍ୟାକ୍ସ ଦେଉଛୁ । ଆମ ପିଜା ଉପରେ ସରକାରଙ୍କର କାହିଁକି ନଜର ? ଆମ ମହିଳା ପିନ୍ଧୁଥିବା ସୁନା ଉପରେ ସରକାରଙ୍କର କାହିଁକି ନଜର ? ହଁ ସ୍ବାଧୀନତା ସମୟରେ ଅନେକ ଲୋକ ସୂନା ସହିତ ଅନେକ ଜିନିଷ ଦାନ କରିଛନ୍ତି । ଯୁଦ୍ଧ ବେଳେ ଆମ ମହିଳାମାନେ ସୁନା ଗହଣା ଦାନ କରିଛନ୍ତି । କିନ୍ତୁ ଏବେ ତ ଭାରତ କାହା ସାଙ୍ଗରେ ଯୁଦ୍ଧ କରୁନି । ଯୁଦ୍ଧ କରୁଛନ୍ତି ଇରାନ, ଆମେରିକା ଓ ଇସ୍ରାଏଲ । ଆମେ କାହିଁକି ପିଜା ଖାଇବା ବନ୍ଦ କରିବୁ ? ଆମେ କାହିଁକି ସୁନା କିଣିବା ବନ୍ଦ କରିବୁ ? ସରକାରଙ୍କ ତରଫରୁ ବାରମ୍ବାର କୁହା ଯାଉଛି, ବିଶ୍ବ ସଙ୍କଟ ଦେଖା ଦେଇଛି । ଯଦି ବିଶ୍ବ ସଙ୍କଟ ଦେଖା ଦେଇଛି, ତେବେ ବିଶ୍ବର ଆଉ କେଉଁ ଦେଶର ପ୍ରଧାନମନ୍ତ୍ରୀ ଏସବୁ ଛାଡିବାକୁ କହିଛନ୍ତି କି ?
ଆଗରୁ ବି ପେଟ୍ରୋଲ ଦର ବଢିଛି । ବିଭିନ୍ନ ସରକାରମାନେ ବଢାଇଛନ୍ତି ଓ ବର୍ତମାନ ସରକାର ବି ଅନେକ ଥର ପେଟ୍ରୋଲ ଡିଜେଲ ଦର ବଢେଇଛନ୍ତି । କିନ୍ତୁ ଏଇ ପ୍ରଥମଥର କୁହା ଯାଉଛି ମହଙ୍ଗା ପେଟ୍ରୋଲ କିଣିବାର ଅଛି ତ ପିଜା ଖାଇବା ଛାଡି ଦିଅ । ଯଦି ଲୋକେ ପିଜା ଖାଇବା ଛାଡିଦେବେ, ତେବେ ପିଜା ଦୋକାନୀ କଣ କରିବେ ? ପିଜା ବନାଉଥିବା କାରିଗରମାନେ କଣ କରିବେ ? ପିଜା ଦୋକାନ ଗୁଡିକର ବି ତ ବିକ୍ରୀ କମିଯିବ ନା ? ସେମାନେ ସେଲ୍ସମ୍ୟାନମ୍ୟାନ ସଂଖ୍ୟା କମାଇବେ । ସେମାନେ ଚାକିରୀ ହରାଇ କୁଆଡେ ଯିବେ ?
ଯେଉଁମାନେ ପିଜା ଖାଆନ୍ତି ନାହିଁ, ସେମାନେ ଗୁପଚୁପ୍ ଖାଉଥିବେ, କିମ୍ବା ଅନ୍ୟ ଖର୍ଚ୍ଚ କରୁଥିବେ । ସେମାନଙ୍କୁ ତାହା କମାଇବାକୁ ପଡିବ । ହୁଏତ କାହାକୁ ନିଉଜପେପର କିଣିବା ବନ୍ଦ କରିବାକୁ ପଡିବ । କିମ୍ବା ମୋବାଇଲ ରିଚାର୍ଜ କରିବା ତା ପାଇଁ କଷ୍ଟକର ହେବ । ଆଜିକାଲି ପରିବାରରେ ଯେତେଜଣ ବୟସ୍କ ଅଛନ୍ତି ସେମାନଙ୍କ ପାଖରେ ଗୋଟିଏ ଗୋଟିଏ ମୋବାଇଲ୍ ଅଛି । ପିଜା ଖାଇବା ନିହାତି ଆବଶ୍ୟକ ନହେଲେ ମଧ୍ୟ, ମୋବାଇଲ ରଖିବା ନିହାତି ଆବଶ୍ୟକ । ସେମିତି ଅନେକ ନିମ୍ନ ମଧ୍ୟବିତ ଘରେ ଦୁଇଟି ବାଇକ୍ କିମ୍ବା ସ୍କୁଟର ଅଛି । ବାପା ଗୋଟିଏ ନେଇ ଅଫିସ ଯାଉଛନ୍ତି ଓ ପୁଅ ଆଉ ଗୋଟିଏ ନେଇ କଲେଜ ଯାଉଛି । ତା ଘରେ ମାସକୁ ଅତି କମରେ ପେଟ୍ରୋଲ ପକାଇବାରେ ତିନି ଚାରି ହଜାର ଟଙ୍କା ଖର୍ଚ୍ଚ ହେଉଥିବ । ଭୁବନେଶ୍ବରରେ ଗତ ୧୦ ବାର ଦିନରେ ପେଟ୍ରୋଲ ଦର ପ୍ରାୟ ୮% ବଢିଛି । ଆଗକୁ ଆହୁରି ବଢିବ । ତେଣୁ ଏବେ ସୁଦ୍ଧା ସେ ପରିବାରକୁ ଅତି କମରେ ଅଢେଇ ଶହରୁ ୩୦୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ । ଅନେକ ଲୋକ ଅଛନ୍ତି ବାଇକ୍ ନେଇ ପିଲାକୁ ଟିଉସନ୍ ଛାଡିବାକୁ ଯାଆନ୍ତି ଓ ସେଠାରୁ ଆସି ପ୍ରାଇଭେଟ ଚାକିରୀ କରିବାକୁ ଯାଆନ୍ତି । ଭାବନ୍ତୁ ନାହିଁ ଯେ ଯିଏ ଦୁଇଚକିଆ ଗାଡି ଚଳାଉଛି ତା ଘର ପୁରାପୁରୀ ସ୍ଵଚ୍ଛଳ ଥିବ । ତା ମୁଣ୍ଡରେ ବି ତା ଚାକିରୀ ରହିବ କି ନାହିଁ ସେ ଚିନ୍ତା ଥିବ । ସେ ବି ଅନେକ ଜିନିଷ କିଣିଥିବ ଯେଉଁଥିପାଇଁ ତାକୁ ପ୍ରତିମାସରେ EMI ଭରିବାକୁ ପଡୁଥିବ ।
ପୁଣି ଗିଗ୍ ଓ୍ବାର୍କରମାନେ କଣ କରିବେ ? ସେମାନେ କେଉଁଠି ଚାକିରୀ କରନ୍ତି ନାହିଁ । ସେମାନେ ଦିନସାରା ବାଇକ୍ ଦୌଡାନ୍ତି । ପେଟ୍ରୋଲ ଖର୍ଚ୍ଚ ସେମାନେ ନିଜେ ଭରନ୍ତି । ଆପଣ ଘରେ ପିଜା ଡେଲିଭରି କରୁଥିବା ଯୁବକର ପେଟ୍ରୋଲ ଖର୍ଚ୍ଚ ବଢିବ । ଆଜିକାଲି ଅନେକ ଶିକ୍ଷିତ ଲୋକ ଗିଗ୍ ଓ୍ବାର୍କର ଭାବେ କାମ କରୁଛନ୍ତି । ଖୋଦ୍ କେନ୍ଦ୍ର ସରକାରଙ୍କ ଗତ ଆର୍ଥିକ ସର୍ଭେ ରିପୋର୍ଟ କହୁଛି ଯେ ଭାରତରେ ଏକ କୋଟି ୨୦ ଲକ୍ଷ ଗିଗ୍ ଓ୍ବାର୍କର ଅଛନ୍ତି । ସେମାନଙ୍କ କାମ ମୁଖ୍ୟତଃ ପେଟ୍ରୋଲ ଉପରେ ନିର୍ଭର କରେ ।
ଯଦି ପେଟ୍ରୋଲ ଦର ମହଙ୍ଗା ହେଲେ ପିଜା ଖାଇବା ଛାଡିବାକୁ ହେବ, ତାହେଲେ ରନ୍ଧନ ଗ୍ୟାସ ଦର ବଢିଲେ କଣ ଛାଡିବାକୁ ପଡିବ ? ମାର୍ଚ୍ଚ ମାସରେ ୧୪.୨ କିଲୋ ଘରୋଇ ରନ୍ଧନ ଗ୍ୟାସ ଦର ୬୦ ଟଙ୍କା ବଢିଥିଲା । ଭୁବନେଶ୍ବରରେ କେବଳ ଏଇ ବର୍ଷ ବ୍ୟବସାୟିକ ରନ୍ଧନ ଗ୍ୟାସ ଦାମରେ ପ୍ରାୟ ୧୪୦୦ ଟଙ୍କା ବୃଦ୍ଧି ହୋଇଛି । କେବଳ ମଇ ୧ ତାରିଖରେ ହୋଇଥିବା ୯୦୦ ଟଙ୍କାର ବୃଦ୍ଧି ସେଥିରେ ସାମିଲ ଅଛି । ସେଥିପାଇଁ ହୋଟେଲ ରେଷ୍ଟୁରାଣ୍ଟ ସେମାନଙ୍କର ଦାମ ବଢାଇଛନ୍ତି । ଠେଲାରେ ମିଳୁଥିବା ଜଳଖିଆ ଦୋକାନୀମାନେ ମଧ୍ୟ ସେମାନଙ୍କ ଖାଇବା ଦାମ୍ ବଢାଇଛନ୍ତି । ଅନେକ ଲୋକ ସେମାନଙ୍କ ଖାଇବା ପାଇଁ ଠେଲା ଦୋକାନ ଉପରେ ନିର୍ଭର କରନ୍ତି । ଚା ଗ୍ଲାସ ଦାମ ବଢିଛି । କିଏ କିଏ କଣ କଣ ଛାଡିବେ ? ଆମେ ଗାମୁଛା ପିନ୍ଧି ବୁଲି ପାରିବୁ ତ ?
କେବଳ ପେଟ୍ରୋଲ ନୁହେଁ, ଗତ ୧୫ ଦିନରେ, ଯେବେଠୁ ବିଧାନସଭା ନିର୍ବାଚନ ସରିଲା, ଡିଜେଲ ଦର ମଧ୍ୟ ପ୍ରାୟ ୯ ଟଙ୍କା ବଢିଛି । ଏହା ଦ୍ବାରା ସବୁ ଜିନିଷର ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ବଢିବ । ଏ ସରକାର ସମୟରେ କଣ ହେଲା କେଜାଣି, ଅଧିକାଂଶ ପ୍ରାଇଭେଟ ମାଲ ପରିବହନ, ଟ୍ରେନ୍ ଛାଡି ସଡକ ମାର୍ଗରେ ହେଉଛି । ଏଥିପାଇଁ କଣ ଛାଡିବୁ ? ମୋଦିଜୀ ତ ଦରବୃଦ୍ଧିର ନାଁ ଦେଇ ସାରିଛନ୍ତି ଦେଶଭକ୍ତି ।
ଅବଶ୍ୟ ଦେଶ ଉପରେ ସଙ୍କଟ ପଡିଲେ ଆମକୁ ଟିକେ ଟିକେ କଷ୍ଟ କରିବାକୁ ପଡିବ । କିନ୍ତୁ ଆମ ଦେଶ ଉପରେ ଏତେ ସଙ୍କଟ କାହିଁକି ଆସିଲା ? ଭୋଟ କାଉଣ୍ଟିଂ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା, ଅଥଚ୍ ଠିକ୍ ତାପରେ ହଠାତ୍ ସଙ୍କଟ କାହିଁକି ଚାଲି ଆସିଲା ? ସରକାର ଓ ତାଙ୍କ ମିଡିଆ କାହିଁକି ବାରମ୍ବାର ବୈଶିୟ ସଙ୍କଟ କଥା କହୁଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଥିଲା କୋଭିଡ୍ ଯୋଗୁଁ ଭାରତରେ ୪୭ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଇନଷ୍ଟିଚ୍ୟୁଟ୍ ଅଫ ହେଲ୍ଥ ମେଟ୍ରିକ୍ସ ଏଣ୍ଡ ଇଭାଲ୍ୟୁସନ କହିଥିଲା କୋଭିଡ ଯୋଗୁଁ ଭାରତରେ ୪୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ସେଣ୍ଟର ଫର୍ ଗ୍ଲୋବାଲ ଡେଭେଲପମେଣ୍ଟ କହିଥିଲା କୋଭିଡ ଯୋଗୁଁ ଭାରତରେ ୩୪-୪୯ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଅକ୍ସଫୋର୍ଡ ୟୁନିଭର୍ସିଟି କହିଥିଲା ଭାରତରେ ପ୍ରାୟ ୧ କୋଟି ଲୋକ କୋଭିଡ ଯୋଗୁଁ ପ୍ରାଣ ହରାଇଥିଲେ । କିନ୍ତୁ ଭାରତ ସରକାର କହିଲେ ୫ ଲକ୍ଷ ଲୋକ ମରିଥିଲେ । ହୁସିଆର । ଗତ ୧୫ ତାରିଖରୁ ଏ ପର୍ଯ୍ୟନ୍ତ ପେଟ୍ରୋଲ ଦର ତିନି ଥରରେ ଏପର୍ଯ୍ୟନ୍ତ ପ୍ରାୟ ୮ ଟଙ୍କା ଓ ଡିଜେଲ ଦର ପ୍ରାୟ ୯ ଟଙ୍କା ବଢି ସାରିଲାଣି । ଏ ସରକାର ଓ ଓଡିଶା ମିଡିଆ ଏଥିପାଇଁ ସବୁ ଦୋଷ ଇରାନ୍ ଯୁଦ୍ଧ ଉପରେ ଲଦି ଦେଉଛନ୍ତି । ସତେ ଯେପରି ବାହାରେ କଣ ହେଉଛି ଆମେ ଜାଣୁନୁ । କାହିଁ ଆଉ କେଉଁ ଦେଶର ସରକାର ତ ଏମିତି ପ୍ୟାନିକ୍ ରିଆକ୍ସନ ଦେଖାଉନି । ଆମ ଦେଶ କାହିଁକି ଏମିତି ରିଆକ୍ସନ ଦେଖାଉଛି ? ପ୍ରଧାନମନ୍ତ୍ରୀ କହୁଛନ୍ତି ଖାଇବା ତେଲ ଖର୍ଚ୍ଚ କମାଅ, ବା ସିଝା ଖାଅ । ଅନ୍ଧଭକ୍ତ କହୁଛନ୍ତି ପିଜା ଖାଇବା କମାଅ ।
ସରକାର ଆମକୁ ଏବେ ଆଖୁରସ ଦେଉଛନ୍ତି । ଆଖୁରସ ମାନେ ହେଉଛି ଇଥନଲ । ଅଲରେଡି ସରକାର ପେଟ୍ରୋଲରେ ୨୦% ଇଥନଲ୍ ମିଶାଇ ବିକୁଛନ୍ତି । ତାମାନେ ଆମେ ୮୦% ପେଟ୍ରୋଲ ଓ ୨୦% ଇଥନଲ କିଣୁଛୁ, କିନ୍ତୁ ୧୦୦% ପେଟ୍ରୋଲର ଦାମ ଦେଉଛୁ । ହୁସିଆର ରୁହନ୍ତୁ, ଏ ସରକାର, ତାଙ୍କ ମିଡିଆ ଓ ଅନ୍ଧଭକ୍ତମାନେ ଆମକୁ ଦେଶଭକ୍ତି ନାଁରେ ଆଉ କଣ କଣ ଛାଡିବାକୁ କହିବେ ଶୁଣିବାକୁ ଅପେକ୍ଷା କରନ୍ତୁ ।