ମୁକ୍ତି ପୂର୍ବର ଯନ୍ତ୍ରଣା

ମୁକ୍ତି ପୂର୍ବର ଯନ୍ତ୍ରଣା

ମୋ ଯନ୍ତ୍ରଣା କେବଳ ମୋର ଭାବିଥିଲି । ଅଂଶୁମାନ ମୋ ଭିତର ଅଭିମାନ କୁ କେବେଠୁ ନଷ୍ଟ କବିତା ଭଳି ଚିରି ଫୋପାଡି ଦେଇଥିଲା । ଖାଇବା ଜିନିଷ ଆସିଥିବା ମଲାଟ ଖୋଳକୁ ମାଡି ମକଚି ଫୋପାଡିବା ଭଳି ସେ ମତେ ଲୋଚା କୋଚା କରି ଫୋପାଡି ଦେଇଛି କେବଠୁ ।

 କାଚ ଜାର୍ ରୁ ଆଖି ଲଗେଇ ମତେ ୟେ କାହିଁକି ଦେଖିବାକୁ ଚେଷ୍ଟାକରୁଛି? ବୋଧେ ଜାଣିବାକୁ ଚାହୁଁଥିଲା ମୁଁ ଠିକ୍ ଅଛିକି ନାହିଁ । ସେ ଓ ମୁଁ । ଘର ଭିତରେ କେବଳ ଆମେ ଦୁଇଜଣ । ଜାର ର ବାହାର କାଚର ପ୍ରତିବିମ୍ବରେ ତା ଆଖିଟା ବଡ, ଅତି ବଡ ଦେଖାଯାଉଥାଏ । ମୋ ଭଳି ସେ ବି ଏକୁଟିଆ । ମୋ ପାଇଁ ଏଇ ରୁମ ହିଁ ମୋ ଦୁନିଆ  ଭଳି, ତା' ପାଇଁ ସେହି ଜାର  ହିଁ ତା' ଦୁନିଆ । ମୁଁ ଚାହୁଁନଥିଲି, ସେ ମୋ କଷ୍ଟ ଜାଣୁ, ଦେଖୁ । କାଳେ ତା' ଦେହ ବି ଶିହରି ଯିବ ଯନ୍ତ୍ରଣାରେ ? ସେଇ ତ' ଗୋଟିଏ ମୋ ସାଥି, ମୋ ସାଙ୍ଗ । କାଚ ଜାର ରେ ଥିବା ମୋ ଗୋଲ୍ଡଫିସ୍ ।

 ଏଇ ମୁହୂର୍ତ୍ତରେ ମୁଁ ହସିବାକୁ ଚେଷ୍ଟାକଲି। ଓଠର ଖଣ୍ଡିଆ ଅଧିକ ଜୀବନ୍ତ ହେଇଉଠିଲା ଓ ମତେ ପୁଣି ଜଣେଇଦେଲା ଯେ ଅଳ୍ପ ସମୟ ତଳେ ଅଂଶୁମାନ ମତେ ଟାଣି ଆଣି, ନା' ଟାଣି ନୁହଁ, ଘୋଷାଡି ଆଣି, ମୋ ଚୁଟି ଧରି କାନ୍ଥରେ ମୁଣ୍ଡ କୁ ବାଡେଇ ମତେ ତଳେ ଫୋପାଡି ଦେଇ ଯାଇଛି । ତା ହାତର ମୋଟା ରୁପା ବଳାରେ ମୋ ଓଠ ଫାଟି ଯାଇଛି। ମୋ ଦ୍ବାରା ହସିବା ସମ୍ଭବ ହେଲାନାହିଁ । ବହୁତ କଷ୍ଟରେ ତଳୁ ଉଠି ଠିଆ ହେଲି । ନୀଳ, ନାଲି, କଳା ଏମିତି ଅନେକ ରଙ୍ଗର ଆତଙ୍କ ମୋ ଦେହ ସାରା।

ସେ ପୁଣି ମତେ ଦେଖୁଛି । କଣ କହିବକି ? ଏବେ ତା' ପାଟିଟା ମୋ ଆଡେ । ପାଟି ଖୋଲୁଛି ପୁଣି ବନ୍ଦ କରୁଛି । କ'ଣ କହୁଛି କେଜାଣି । ଅଂଶୁମାନ ର ଚିତ୍କାର ଶୁଣିଛି ନିଶ୍ଚିତ । ମତେ କ'ଣ କହୁଛି ? ମୁଁ ବି ସେମିତି ଚିତ୍କାର କରିବାକୁ କହୁଛି ? ନା' ଆଉ କିଛି କହୁନି ବର୍ତ୍ତମାନ ସେ । ମୋ ଭଳି ଅବଶ ହେଇଗଲା ବୋଧେ ।

 କ'ଣ କହିଥିଲି ? ଘରକୁ ଯିବା କଥା କହିଲି । ମାମାକୁ ଦେଖିନି । ତା ପାଖେ ଗୋଟିଏ କମ୍ବଳ ଭିତରେ ଶୋଇନି । ତା' ହାତ ତିଆରି ଚା' ପି'ନି । ମୋ ଟାଇଗର ଲାଞ୍ଜ ହଲେଇ ଦୌଡି ଆସେ ମୁଁ କଲେଜରୁ ଆସିଲେ । ମୁଁ ଗୋଟିଏ କକ୍ଷଚ୍ୟୁତ ଗ୍ରହ ଭଳି ପଡିରହିଛି  ଅଂଶୁମାନ ପାଖରେ । ମାମା ଜାଣିଚି କି ମୋ ଜବ୍ ଆଉ ନାହିଁ ? ମୁଁ କୋଉ ଅସୁବିଧାରେ ଏଠି ପଡିରହିଛି ? ହଁ ମାମା ଜାଣିଥିବ ।  ସେଥିପାଇଁ ଏତେଥର କଲ୍ କରିଥିଲା । ମାମା ପାଖକୁ ଯିବି । ନିଶ୍ଚେ ଯିବି । ଆଉ ଫେରିବିନି । ବାସ୍ ଏ କ୍ଷତ ସବୁ ଶୁଖିଯାଉ । ମୋ ଓଠ ଶୀତ ଦିନରେ ଫାଟିଲେ ମାମା କେତେ ବ୍ୟସ୍ତ ହୁଏ । ମୋ ସ୍କର୍ଟ୍  ପକେଟରେ ଛୋଟ ଭେସଲିନ୍ ଦେଇଥାଏ । ମୋ କହୁଣିର କଳା ଦାଗ ସବୁ ଛଡେଇଦିଏ । ଏବେ ମୋ ହାତ ସାରା ଚିହ୍ନ ।  ମାଡ ଚିହ୍ନ ।  ମାମା ସବୁ ଦେଖିବ । କୋରି ହୋଇଯିବ ତା ଛାତି। ନାଇଁ ଟିକିଏ କମିଯାଉ। ମୋ ଚୁଟି ରେ କ'ଣ ସବୁ ଲଗାଏ । କୁଣ୍ଡଇ ଦିଏ ମୁଣ୍ଡ । ଟିକେ ପାନିଆରେ ଲାଗିଲେ ମୁଁ ଏଡେ ରଡି ଛାଡେ । ମୋ ଚୁଟି ଆଉ କାଇଁ । ମୁଣ୍ଡ ମଝି ମଝିରୁ ଉଡ଼ିଯାଇଛି ଚୁଟି । ପ୍ରତିଦିନ କେତେ ଟଣା ଓଟରା, ଘୋଷଡା ।

     ଗୋଲ୍ଡି, ମୋ ଗୋଲ୍ଡଫିସ୍ ଯେବେ ଧରାହେଇଥିବ ସେ କେତେ ଛଟ୍ ପଟ୍ ହେଇଥିବ। ତାକୁ ବି ସେମିତି ବିଶ୍ବାସ  ଦେଇ କେହି ଗୋଟାଏ ତା' ନିଜ ଜାଗାରୁ ଏମିତି ଏକୁଟିଆ ରହିବାକୁ ଥିବା ଗୋଟିଏ ଅବିଶ୍ବାସ ଦୁନିଆ କୁ ନେଇ ଆସିଥିବ । ହେଇ ପୁଣି ତା ଆଖିଟା ଲଗେଇ ମତେ ଦେଖୁଚି । ତା ଆଖି, ଆଖିର ଡୋଳା ସବୁ ସଫା ଦେଖାଯାଉଚି ମତେ । ଆହାଃ!! ତା ଆଖି ଭିତର ଭୟ, ଘୃଣା ସବୁ ମୋ ଭଳି ଦେଖାଯାଉଚି। ଗୋଲ୍ଡି ମୁଁ ଠିକ୍ ଅଛି। ଏତକ ମିଛ ବି ମୁଁ କହି ପାରୁନି। ମୋ ମୁହଁ ସାରା ଜଳାପୋଡ଼ା ହଉଚି। କାନ୍ଧ କାହିଁକି କେଜାଣି କାଟୁଚି।ମୁଣ୍ଡ ରେ ପ୍ରବଳ ବ୍ୟଥା। ଗୋଡ ଥରୁଚି। ହାତରେ ବଳ ନଥିବା ଭଳି ମନେ ହଉଚି।

       କଲେଜ ପରେ ମୁମ୍ବାଇ ଆସିଥିଲି। ମାମା କ'ଣ ରାଜିଥିଲା? ବହୁତ ମନାକରିଛି। ଆହୁରି ପଢ। ପାଠ ସରିନି କହିଚି ମତେ। ଚାକିରି ନିଶା ଘାରିଥିଲା। ମାମା କୁ ଏକଲା ଛାଡି ଆସିଯାଇଥିଲି। ଚାକିରି ଅଭାବ ନାହିଁ ଏଠି। ମୋ ଜୀବନର ପ୍ରଥମ ଚାକିରି। ଡର ଡର ଲାଗୁଥିଲା। କିନ୍ତୁ ଆଗକୁ ବଢିଲି। କାମ କଲି। କାମ ଶିଖିଲି। ତା' ଭିତରେ ବୁଝିଗଲି ଯେ, କାମ ଶିଖିବା ସହିତ ବସ୍ ର କାମ ବାସନାର ନିବାରଣ କରିବା ପ୍ରତି ଅଧସ୍ତନ ନାରୀ କର୍ମଚାରୀଙ୍କ ଧର୍ମ । ସମସ୍ତେ କରନ୍ତି। କେହି ମନାକରିବା ଉଦାହରଣ ଯେହେତୁ ନାହିଁ, ଖରାପ ଲାଗୁ, ଭଲ ଲାଗୁ, କାହାର କିଛି ଭାବିବାର ଦରକାର ବି କ'ଣ? ତମେ ଗୋଟିଏ ବସ୍ତୁ। ତମ ଦେହର ଯୋଉଠି ଯୋଉ ସମୟରେ ବି ସ୍ପର୍ଶ କରାଯାଇପାରିବ। ଅତ୍ୟାଚାର ବି କରାଯିବ। ବାସ୍ ସହିବା ଅଭ୍ୟାସ କର। ନ ସହି ପାରିଲେ ନିଶା ଖାଓ। ପାଟିକର। ଚିଲ୍ଲାଓ। ତା ହେଲେ ଚାକିରି କରିପାରିବ। ଛୋଟ ସହରରୁ ଆସିଥିବା ଝିଅ ମାନଙ୍କ କେହି ଭଗବାନ ନଥାନ୍ତି। ତେଣୁ ଏଠି ଭଗବାନଙ୍କ ଭିଡ ଲାଗିଥାଏ। ସେହି ସମସ୍ତ ଭଗବାନଙ୍କ ଭିତରେ ଅଂଶୁମାନ ଗାଏକୱାଡ଼ ଟିକିଏ ନିଜର ଲାଗିଥିଲା। ମୁଁ

ହେଲି ତାଶା। ସିକିମ୍ ରୁ ସିଧା ମୁମ୍ବାଇ। ଏଠି ମୋ ନିଜର କେହି ନାହିଁ। ମୁଁ ଭାରତୀୟ ବୋଲି ପରିଚୟ ସବୁଠି ଦେବାକୁ ହୁଏ। ମୋ ଆଖି ଛୋଟ। ତେଣୁ ମତେ ବହୁତ କଟୁକଥା ଶୁଣିବାକୁ ହୁଏ। ମୋ ଛୋଟ ଆଖି ବି ଲୁହରେ ଛଳଛଳ ହୁଏ। ମୋ ହୃଦୟରେ ବି କୋହ ଉଠେ। ସମସ୍ତେ ଜାଣିପାରନ୍ତି ନାହିଁ। ମାମା ଫୋନ୍ କରେ। ଆସିଯା ଘରକୁ ଏଠି ବି'ଆମର ଚାକିରି ମିଳିବ କହେ। ମତେ ନିଜ ଉପରେ ଘୃଣା ଆସେ।

     ଗୋଲ୍ଡି ପାଖକୁ ଛୋଟେଇ , ଟାଣି ଓଟାରି ହେଇ ଆସି ପହନ୍ଚିଲି। ମନେହେଲା ସେ ମୋ ମୁହଁ ଦେଖି ଦୁଃଖ କରୁଚି। ମତେ କ'ଣ କହିବାକୁ ଚେଷ୍ଟା କରୁଚି। ବୁଝେଇବାକୁ ଚାହୁଁଚି। ଠିକ୍ ମାମା ଭଳି। ତା' ଖାଇବା ଗୋଲି ଗୋଟିଏ ପକାଇଦେଇ ପାଣିରେ ,  ପୁଣି ସେମିତି ଛଟପଟ ହେଇ ମୋ ଖଟ ପାଖକୁ ଆସିଲି। କିଛି ଔଷଧ ଅଛି। ମଲମ ବି ଅଛି। ବୋଳିଲି ମୋ ଖଣ୍ଡିଆ ସବୁକୁ ଭଲ କରିବା ପାଇଁ। ପୁଣି ବଞ୍ଚିବାକୁ ଇଛାକଲି। ଅବଶ ହେଇ ଗଡିଗଲି।

      ଗୋଲ୍ଡି ଏତେବଡ କେମିତି ହେଲା? ମତେ ତା ମୁଣ୍ଡ ରେ ଟେକିନେଇ, ପିଠିରେ ବସେଇ ଉଡିଲା। ମୁଁ ଚିତ୍କାର କଲି। ନା' ସେ ପହଁରୁଛି। ପାଣିର ତଳ ଆହୁରି ତଳକୁ ଆମେ ଯାଉଛୁ। ଦିଗବଳୟ ଠାରୁ ବହୁତ ତଳେ ମୁଁ ଅଛି। ରଙ୍ଗିନ୍ ଦୁନିଆରେ।କେତେ ପ୍ରବାଳ, କେତେ ଶାମୁକା, ରଙ୍ଗବେରଙ୍ଗର ମାଛ। ମୁଁ ଗୋଟିଏ ବଡ ପଥର ଉପରେ ବସିଲି। ନିଶ୍ବାସ ପ୍ରଶ୍ବାସ ରେ ଶାନ୍ତ ଭାବ ମୁଁ ଅନୁଭବକରି ସବୁ ଭୁଲିବାକୁ ଚାହୁଁଥାଏ। ମୋ ଚୁଟିସବୁ ପାଣିରେ ଭାସିବା ମୁଁ ଅନୁଭବ କରିପାରୁଥାଏ। ହଠାତ ସେ ମତେ ପୁଣି ତା ପିଠିରେ ବସାଇ ପହଁରିଗଲା। ଏଥର କିନ୍ତୁ ଶାନ୍ତ ନ ଥାଏ ସେ। ବହୁତ ଯୋର ଏବଂ ଏପଟ ସେପଟ ପହଁରୁଥାଏ। ମୁଁ ପଛକୁ ବୁଲି ଦେଖେ ତ'  ବଡ ସାର୍କ ମାଛ ଗୋଟିଏ ପଛରେ ପଡିଚି। ମୃତ୍ୟୁ ମତେ ମୋ ଏତେ ନିକଟରେ ଦେଖାଗଲା। ଗୋଲ୍ଡି ହାର୍ ମାନୁନି। ମତେ ପିଠିରେ ବସାଇ ମାଡିଯାଉଛି ଆଗକୁ। ମୁଁ ପଛକୁ ଦେଖୁଛି। ମୋ ଅତି ପାଖରେ ସାର୍କ୍। ତା ପାଟି। ସିଧା, ତେରଛା ଦାନ୍ତ ସବୁ।ଆଖିରେ କ୍ରୁରତା। ସେ ମୁହଁ ମତେ ଅଂଶୁମାନ ର ମୁହଁ ଭଳି ଦେଖାଗଲା। ମୁଁ ଅତି ଭୟରେ ଚିଲ୍ଲେଇଲି। ମୋ ଓଠ କ୍ଷତଟା ପୁଣି ତାଜା ହେଇ କଷ୍ଟ ହେଲା। ଧିରେ ଧିରେ ଅବଚେତନ ମନର ମୋର ବାସ୍ତବ ଦୁନିଆ କୁ ଫେରି ଆସୁଛି। ନା' ମୁଁ ପାଣିରେ ନାହିଁ ମୁ ସେଇ ଖଟ ଉପରେ ପଡିଛି। ହଁ ବୁଝିପାରିଛି। ଗୋଲ୍ଡି ମତେ ଏଠୁ ବାହାରିଯିବା କଥା କହୁଥିଲା। ସ୍ବପ୍ନ କୁ ବାସ୍ତବ ସହ ଯୋଡୁଥିଲି।

      ଅଂଶୁମାନ ମୋ ବସ୍ । ତା ସାଥିରେ ମୋ ସମ୍ପର୍କ ଭରସା ରୁ ଆରମ୍ଭ ହୋଇ ବିଶ୍ବାସ ଭାଙ୍ଗିବା ଯାଏଁ ମାତ୍ର ଦୁଇ ମାସର । ମତେ ମୋ ନିଜକୁ ମୁକ୍ତ କରିବାକୁ ହେବ। ବାହାରେ ପ୍ରବଳ ବର୍ଷା। ପାଣି ଛକପକ ଶୁଭୁଛି। ମୋ କ୍ଷତାକ୍ତ ଆତ୍ମାର ରଡି ଭଳି। ଗୋଲ୍ଡି ଅଶାନ୍ତ ଅଛି। ହଁ ରହ ମୁଁ ତତେ ବି ମୁକ୍ତ କରିବି। କେମିତି? ବର୍ଷାରେ ଘରୁ ବାହାରିବା ମାନେ ବିପଦ। ଅଂଶୁମାନ ବାହାରୁ ବନ୍ଦ କରିଛି। ମୋ ପାଖେ ଫୋନ୍ ବି ନାହିଁ। ପଇସା ପତ୍ର, ମୋ କାର୍ଡ ମୋ ସବୁ କିଛି ଆଉ ମୋ ପାଖେ ନାହଁ। ମତେ ତା ଅଧୀନ କରବା ପାଇଁ ମୋ ଠୁ ସବୁ ଛଡେଇ ନେଇଛି। ଜଣେ ଅସହାୟ ହେଲେ ହିଁ ଅନ୍ୟର ଅଧୀନ ହେବ। ମୋ ପୁରୁଣା ପର୍ସ କଥା ମନେ ପଡିଲା। କିଛି ପଇସା ସେଥିରେ ଥିବ ନିହାତି।

      ଝରକା ପାଖରେ ବସି ବର୍ଷା ଦେଖୁଥିଲି କେବେ ଖୁସିରେ। ଏବେ ସେଇ ଯାଗାରେ ଗୋଲ୍ଡି କୁ ରଖା ଯାଇଚି। ଠିକ୍ ତା ସାମ୍ନାରେ ବାହାରକୁ ଯିବାକୁ ଥିବା କବାଟ। ଝରକାରୁ ଉଙ୍କି ବାହାରକୁ ଦେଖିବାକୁ ଚେଷ୍ଟାକଲି। ଏତେ ବର୍ଷାରେ କିଏ ତେର ମହଲାରୁ ଝିଅଟିଏ କ'ଣ କହିବାକୁ ଚାହୁଁଚି କାହିଁକି ଦେଖିବ?

ନା' ମତେ ଏଠୁ ବାହାରିବାକୁ ପଡିବ। ପାଣି ପି' କିଛି ସମୟ ବସିରହିଲି। ଅନେକ କଥା ମନକୁ ଆସୁଛି। ବର୍ଷା ଛାଡିଚି। ଘରେ ଯେତକ ବାସନ ସବୁ ଆଣି ଝରକା ପାଖେ ରଖିଲି। ଧଡ୍ ଧାଡ୍ ସବୁ ତଳକୁ ଫୋପାଡିଲି। ନା' କିଛି ହେଲାନି। କେହି କିଛି ପଚାରିଲାନି।

      କବାଟ ପାଖେ କିଛି ଶବ୍ଦ ଶୁଭୁଛି। ଅଂଶୁମାନ ବୋଧେ ଫେରିଲାଣି। ଗୋଲ୍ଡିକୁ ତା' ଜାଗାରେ ରଖି ଚୁପ୍ ଭାବେ ବସିଗଲି। ନା' ଅଂଶୁମାନ ନୁହଁ। ମୁଁ କବାଟ ଜୋର ବାଡେଇଲି। ଯୋଉମାନେ ବି ଥିଲେ, ଡୁପ୍ଲିକେଟ ଚାବି ଆଣି ଖୋଲିବାକୁ ବିକଳ ହେଲି। ଓଃ, ଶେଷରେ କବାଟ ଖୋଲାଗଲା। ମୋ ଅବସ୍ଥା ଦେଖି ହତବାକ୍ ରହିଗଲେ ସୋସାଇଟି ର ଯୋଉମାନେ ଥିଲେ। ପୋଲିସ୍ ଆସିଲା। ମତେ ମୋ କଥା କହିବା ସୁଯୋଗ ମିଳିଲା। ପାଖାପାଖି ଦୁଇଦିନ ପରେ ଖାଇଲି। ବାହାର ଫୋନରୁ ମାମା କୁ କହିଲି, ଖୁସି ହେଇଯା। ମୁଁ ଆସୁଛି। ସବୁଦିନ ପାଇଁ। ମୁଁ ଯିବା ଆଗରୁ ପାଖ ପୋଖରୀରେ ଗୋଲ୍ଡିକୁ ଛାଡି ଆସିଲି। ହେଇପାରେ ତା ଜୀବନରେ ସାର୍କ ବି ଆସିପାରେ। କିନ୍ତୁ ସେ ସ୍ବାଧୀନ ଥାଉ ତା' ନିଜ ଲଢେଇ ନିଜେ ଲଢିବା ପାଇଁ। ପୋଖରୀରେ ଖାଇବା ମିଳୁ ବା ନ ମିଳୁ। ଆଉ କାହା ହାତକୁ ଚାହିଁ ନ ରହୁ ।

      ଖାଲି ଜାର ଟିକୁ ବେଗ୍  ରେ ଭର୍ତି କଲାବେଳେ ଗୋଲ୍ଡିର ଆଖି ମନେପଡୁଥାଏ।  ସେଇ ଆଖି ତ' ମୋ ସାହାରା ଥିଲା, ଯନ୍ତ୍ରଣାର କାର୍ନିଭାଲ୍ ରେ।