ନାରୀ ନିର୍ମାଣ

ନାରୀ ନିର୍ମାଣ

ଘର ଓଳେଇବୁନି ରାତିରେ

ପିଣ୍ଡି ଛାଡିଦେବେ ସାଗର ଦୁଲଣୀ,

ରାତିରେ କୁଂଡେଇବୁନି ମୁଂଡ଼

କାଳେ ମାଟିରେ ପଡିବ ଉକୁଣି୍

ଉକୁଣି ପଡିଲେ ଜାଣିଥା'

ଆଡ଼ କରିଦେବେ ନକ୍ଷ୍ମୀ ଠାକୁରାଣୀ

 

ଦୁଆରବଂଧରେ ବସିବୁନି୍

ସେ ଥାନ ଯମଦୂତ ଅକାଳ ବିକାଳଂକର,

କେହି ଶୋଇଥିଲେ ଡେଇଁବୁନି

ଆସି ପହଂଚିଯାଏ କାହା ମରଣ ଖବର

 

ରାତିରେ ଅଇଁଠା ବାସନ ରଖିବୁନି

ଯେତେ ଛଂଚିଲେ ବି ଅଧୁଲେ ରୁହେନି,

ପୁରୁଷଲୋକ ଗଲା ବେଳେ ପଛରୁ ଡାକିବୁନି

କଲା କାମ ପରାପତ ହୁଏନି

 

ଆର ଜନମରେ କାଲା ହେଇଯା'ନ୍ତି

ପୁରାଣ ଶୁଣିଲା ବେଳେ

ଅଧାରୁ ଉଠିବୁନି,

କ୍ଷୀର ବାହାରେନି ଥନରୁ ବିରାଡିକି ମାରିବୁନି

 

ଗୁହାଳେ ବଂଧା ମଇଁଷିକି

ଦେଖିବୁନି ସକାଳୁ,

କାଳେ କେବେ ତୋ ଉପରେ କାଉ ହଗିଲେ

ବୁଡ଼ ପକେଇବୁ ପାଂଚ ଥର,

ଅରଷ୍ଟି ହୁଏ

ଘରେ ନାଗିରୁହେ କଳିଗୋଳ

 

ଇମିତି ଅନେକ 'ନାହିଁ' 'ନାହିଁ'ରେ

ନାନୀକି ଗଢିଥିଲା ମା',

ନାନୀ ଗଢୁଚି ତା' ଝିଅକୁ,

ପିଆଜ କାଟିବା ବାହାନାରେ କାଂଦିବାକୁ !